
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ବରପଲ୍ଲୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅନିଲ କୁମାର ଦାଶ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ବରପଲ୍ଲୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପୃଥକ୍ ପୃଥକ୍ ଭାବେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଶ୍ରୀ ଦାଶଙ୍କୁ ଫୁଲତୋଡ଼ା,ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଜଣେ ସୁସଂଗଠକ ତଥା ସୁଦକ୍ଷ କ୍ରୀଡ଼ା ଅଧିକାରୀ ଭାବେ ତାଙ୍କ କାର୍ଯ୍ୟଶୈଳୀର ଉଚ୍ଚ ପ୍ରଶଂସା କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ଏବଂ ବନଳତା ବେହେରାଙ୍କ ସମେତ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ଧନଞ୍ଜୟ ଷଡ଼ଙ୍ଗୀ , ଶ୍ରୀଧର କୁମାର ସାହୁ, ସଚିକାନ୍ତ ମିଶ୍ର, ଅରବିନ୍ଦ ନାୟକ, ମାନସ କୁମାର ସେଠି ପ୍ରମୁଖ ଉପସ୍ଥିତ ରହି ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଜୀବନ ସୁଖ ଏବଂ ନିରାମୟ କାମନା କରିଥିଲେ।

ସେହିପରି ବରପଲ୍ଲୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ କୁମାର ଦାଶ ଅଧ୍ୟକ୍ଷତା ଥିବା ବେଳେ ଶିକ୍ଷକ ଗୋସ୍ୱାମୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ସଭାପତି ରଜନୀକାନ୍ତ ନନ୍ଦ,ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ଏବଂ ବନଲତା ବେହେରା ତଥା ସ୍ଥାନୀୟ ସରପଞ୍ଚ ନିରଞ୍ଜନ ବିଧାର ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଅଧିକାରୀଙ୍କ କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରକୁ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି ଓ ସୁସ୍ଥ ଜୀବନ କାମନା କରିଥିଲେ।
