‘ଭୁଲ NTA କରୁଛି, ଦଣ୍ଡ ଛାତ୍ରୀଛାତ୍ର ଭୋଗୁଛନ୍ତି’- ରାହୁଲ

ୟୁଜିସି-ନେଟ୍ ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ କେନ୍ଦ୍ର ସରକାର ଓ ଏନ୍‌ଟିଏକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଇଂରାଜୀ, କମର୍ସ ଓ ସୋସିଓଲୋଜି, ଏହି ୩ଟି ବିଷୟର ପରୀକ୍ଷା ବାତିଲ୍ ହୋଇ ପୁଣିଥରେ ପରୀକ୍ଷା ହେବାକୁ ଥିବାରୁ ସେ ଏନଟିଏର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ।ରାହୁଲ ଗାନ୍ଧୀ କହିଛନ୍ତି ଯେ, UGC-NETର ଏହି ୩ଟି ପରୀକ୍ଷା ୨୨ରୁ ୩୦ ଜୁନ୍‌ ମଧ୍ୟରେ ହୋଇଥିଲା। ପ୍ରାୟ ଦୁଇ ମାସ ପରେ NTA ଏହି ପରୀକ୍ଷାଗୁଡ଼ିକୁ ବାତିଲ କରିଛି। ପେପରରେ ଭୁଲ ପ୍ରଶ୍ନ, ପୁରୁଣା ପ୍ରଶ୍ନର ପୁନରାବୃତ୍ତି ଏବଂ ଅନ୍ୟାନ୍ୟ ତ୍ରୁଟି ଥିବାରୁ ଏହି ନିଷ୍ପତ୍ତି ହୋଇଛି। ରାହୁଲ ଗାନ୍ଧୀ କହିଛନ୍ତି, ହଜାର ହଜାର ପରୀକ୍ଷାର୍ଥୀ ବର୍ଷ ବର୍ଷ ଧରି ପ୍ରସ୍ତୁତି କରିଥିଲେ, ଫର୍ମ ପୂରଣ କରିଥିଲେ, ଫି’ ଦେଇଥିଲେ ଏବଂ ଦୂରଦୂରାନ୍ତର ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ଏବେ ସେମାନଙ୍କୁ ପୁଣି ସେପ୍ଟେମ୍ବରରେ ପରୀକ୍ଷା ଦେବାକୁ ପଡ଼ିବ।ରାହୁଲ ଗାନ୍ଧୀ କହିଛନ୍ତି, ଏନ୍‌ଟିଏର ଭୁଲ ପାଇଁ ଛାତ୍ରଛାତ୍ରୀଙ୍କୁ କାହିଁକି ଦଣ୍ଡ ଭୋଗିବାକୁ ପଡ଼ିବ? ସେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା କି ନାହିଁ। ତାଙ୍କ ମତରେ, ଏଭଳି ପରୀକ୍ଷା ବାତିଲ୍ ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ସମୟ, ଟଙ୍କା, ମାନସିକ ଶାନ୍ତି ଓ ପରିଶ୍ରମ ନଷ୍ଟ ହେଉଛି । NTA ପକ୍ଷରୁ UGC-NETର ଇଂରାଜୀ, କମର୍ସ ଓ ସୋସିଓଲୋଜି ପେପର ପୁଣିଥରେ କରାଯିବ। ପ୍ରଶ୍ନପତ୍ରରେ ତଥ୍ୟଗତ, ଟାଇପିଂ, ଅନୁବାଦ, ବ୍ୟାକରଣ, ସ୍ପେଲିଂ ଏବଂ ପ୍ରିଣ୍ଟିଂ ସମ୍ପର୍କିତ ତ୍ରୁଟି ନେଇ ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ହୋଇଛି ।

ଅଧିକ ପଢନ୍ତୁ