ଏମଏମଡିଆର ଆମେଣ୍ଡମେଣ୍ଟ ବିଲ୍ ସଂସଦରେ ପାସ୍ ହେବା ପରେ ଓଡ଼ିଶାର ବ୍ୟାପକ କ୍ଷତି ହେବ ବୋଲି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଇଥିବା ଭିଡିଓ ବାର୍ତ୍ତା ଉପରେ ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳ ଏହି ଦୁଇ ନେତା ଓ ବିଜେପି ସରକାରଙ୍କ ଉପରେ ବର୍ଷିଛି । ନବୀନ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ, ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛି ବିଜେଡି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ ଓ ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ନିକଟରେ ଲୋକସଭାରେ ବିନା ଆଲୋଚନାରେ ପାସ ହୋଇଥିବା ଏହି ବିଲ୍ ଓଡିଶା ସମେତ ଦେଶର ସମସ୍ତ ଖଣିଜ ସମ୍ପଦ ଥିବା ରାଜ୍ୟର ବ୍ୟାପକ କ୍ଷତି ହେବ ବୋଲି କହିଛନ୍ତି ।ଡ଼ ଅରୁଣ ସାହୁ କହିଥିଲେ, ଖଣି ଖାଦାନ ଉପରେ ପ୍ରତ୍ୟେକ ରାଜ୍ୟର ଆଇନଗତ ଓ ସାମ୍ୱିଧାନିକ ଅଧିକାର ରହିଛି । ଜୁଲାଇ ୨୦୨୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ଏହା ଉପରେ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନଙ୍କର ଅଧିକାର ରହିଛି, ତେଣୁ ରାଜ୍ୟମାନେ ଖଣିଜ ପଦାର୍ଥ ଉପରେ ଲେଭି ଓ ଟ୍ୟାକ୍ସ ଲଗାଇ ପାରିବେ ବୋଲି ମତ ଦେଇଥିଲେ । ଏହି ବିଚାରରେ, ୧ ଏପ୍ରିଲ ୨୦୦୫ରୁ ଖଣି ମାଲିକମାନଙ୍କଠାରୁ ବକେୟା ଟ୍ୟାକ୍ସ ଆଦାୟ କରିପାରିବେ ବୋଲି ଉଚ୍ଚତମ ନ୍ୟାୟାଳୟ କହିଥିଲେ । ସେହି ଅନୁସାରେ, ଓଡିଶା କେବଳ ବକେୟା ଆକାରରେ ଦେଢ଼ ଲକ୍ଷ କୋଟି ଟଙ୍କା ଆଦାୟ କରିପାରିବ ବୋଲି ଆକଳନ ହୋଇଥିଲା । ଏହାଛଡା ପ୍ରତିବର୍ଷ ଖଣି ରାଜସ୍ୱ ଅଧିକ ୧୨,୦୦୦ କୋଟି ଟଙ୍କା ଆଦାୟ ହେବ ବୋଲି ଆକଳନ ହୋଇଥିଲା । କିନ୍ତୁ ଏମଏମଡିଆର ଆମେଣ୍ଡେମେଣ୍ଟ ବିଲ୍ ଜରିଆରେ ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟକୁ କେନ୍ଦ୍ର ସରକାର ହଡ଼ପ କରିଦେଲେ ।
