ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।ଚଳିତ ବର୍ଷ ସାର ଯୋଗାଣ ସୁରୁଖୁରୁରେ ଚାଲିଥିବା ବେଳେ ସମବାୟ ବିଭାଗ ପକ୍ଷରୁ ୨ ଲକ୍ଷ ୪୮ ହଜାର ୬୭୬ ଟନ୍ ସାର ଦିଆଯାଇଛି। କୃଷି ବିଭାଗ ପକ୍ଷରୁ ଆଉ ୩ ଲକ୍ଷ ୨୦ ହଜାର ଟନ ସାର ଯୋଗାଇଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ରାଜ୍ୟରେ ଥିବା ୪ଟି ଚିନିକଳକୁ କାର୍ଯ୍ୟକ୍ଷମ କରିବା ନେଇ ସରକାର ଯୋଜନା କରୁଥିବା ସେ ଇଙ୍ଗିତ ଦେଇଛନ୍ତି।ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୪ଟି ଚିନିକଳ ଚାଲିଲେ ରାଜ୍ୟର ଚିନି ଚାହିଦା ବହୁ ମାତ୍ରାରେ ମେଣ୍ଟାଇବା ସମ୍ଭବ ହୋଇପାରିବ। ବର୍ତ୍ତମାନ ଆସିକା ଚିନିକଳ କାର୍ଯ୍ୟକ୍ଷମ ରହିଛି। ସେହିପରି ବଡ଼ମ୍ବା ଚିନିକଳ ଉଦ୍ଘାଟନ ଅପେକ୍ଷାରେ ରହିଛି। ଅନ୍ୟପଟେ ବଲାଙ୍ଗିର ଚିନିକଳ ଖୋଲିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୟାଗଡ଼ ଚିନିକଳ ବନ୍ଦ ଥିବା ବେଳେ ଏହା ସମ୍ପର୍କିତ ଆଇନଗତ ପ୍ରକ୍ରିୟାକୁ ଖୁବଶୀଘ୍ର ସମାଧାନ କରି ଚିନିକଳକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ବିଭାଗ ଯୋଜନା କରୁଛି।ଆଗାମୀ ଦିନରେ ସମସ୍ତ ଚିନିକଳକୁ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
