ଓଡ଼ିଶା ଭିଜିଲାନ୍ସ ଆଜି (ବୁଧବାର) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲଇଡ଼ା ଗ୍ରାମର ଦୂତିକା ସାହୁ କଲେଜର ପୂର୍ବତନ ଇନ୍ ଚାର୍ଜ ପ୍ରିନସିପାଲ ଏବଂ ରାଜନୀତି ବିଜ୍ଞାନର ବର୍ତ୍ତମାନର ଅଧ୍ୟାପକ ଡକ୍ଟର ବସନ୍ତ କୁମାର ନାୟକଙ୍କୁ ଗିରଫ କରିଛି । ଡକ୍ଟର ନାୟକଙ୍କୁ ୨୦୧୯-୨୦ ରୁ ୨୦୨୪-୨୫ ଆର୍ଥିକ ବର୍ଷରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୭୩ ଲକ୍ଷ ୪୪ ହଜାର ୯୫୦ ଟଙ୍କା ସରକାରୀ ପାଣ୍ଠିର ଆର୍ଥିକ ହେରଫେର ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି ଏବଂ ତାଙ୍କୁ ସମ୍ବଲପୁରର ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠାଯାଇଛି lଭିଜିଲାନ୍ସ ତଦନ୍ତରେ ଅଭିଯୋଗ ହୋଇଛି ଯେ, ବାସ୍ତବରେ ଆବଶ୍ୟକ ଭୌତିକ ବିକାଶମୂଳକ କାର୍ଯ୍ୟ ନକରି ପାଣ୍ଠି ଆତ୍ମସାତ କରାଯାଇଥିଲା।
ଏହାସହ ମିଥ୍ୟା ବିଲ୍ ପ୍ରସ୍ତୁତ କରିବା, ମଞ୍ଜୁର ହୋଇଥିବା ପାଣ୍ଠି ବିନିମୟରେ ଆବଶ୍ୟକ ସଂସ୍ଥାଗତ ଉପକରଣ ନକିଣିବା ଭଳି ଅଭିଯୋଗ ମଧ୍ୟ ରହିଛି। ଅଟୋମେସନ୍ ଓ ଡିଜିଟାଲ୍ ମ୍ୟାନେଜମେଣ୍ଟ ସଫ୍ଟୱେର୍ କାର୍ଯ୍ୟାନ୍ୱୟନ ନାମରେ ମଧ୍ୟ ସରକାରୀ ଅନୁଦାନକୁ ଅନ୍ୟତ୍ର ବ୍ୟବହାର କରାଯାଇଥିବା ଭିଜିଲାନ୍ସ ତଦନ୍ତରେ ଜଣାପଡ଼ିଥିବା କୁହାଯାଇଛି।
