ମହାକାଶରେ ଆମେରିକାର ସାମରିକ ଅସ୍ତ୍ର, ଯୁଦ୍ଧ ପ୍ରସ୍ତୁତି ବନ୍ଦ କରିବାକୁ ଚେତାବନୀ ଶୁଣାଇଲା ଚୀନ

ମହାକାଶରେ ଅସ୍ତ୍ର ମୁତୟନ କରିଛି ଆମେରିକା । ଯୁଦ୍ଧ ପ୍ରସ୍ତୁତି ବନ୍ଦ କରିବାକୁ ଚେତାବନୀ ଶୁଣାଇଲା ଚୀନ। ମହାକାଶରେ ଅସ୍ତ୍ର ମୁତୟନ କରିଥିବା ନେଇ ସାର୍ବଜନୀନ ଭାବେ ସ୍ୱୀକାର କରିଛି ଆମେରିକା। ରୁଷିଆ ଓ ଚୀନ୍‌ର ବଢ଼ୁଥିବା ଅନ୍ତରିକ୍ଷ କ୍ଷମତାକୁ ଦୃଷ୍ଟିରେ ରଖି ଆମେରିକା ନିଜର ସ୍ପେସ୍ କ୍ଷମତାକୁ ଆହୁରି ମଜବୁତ କରୁଥିବା କୁହାଯାଉଛି । ଆମେରିକାର ବାୟୁସେନା ସଚିବ ଟ୍ରୟ ମୀଙ୍କ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଅନ୍ତରିକ୍ଷରେ ବଦଳୁଥିବା ବିପଦର ମୁକାବିଲା ପାଇଁ ଆମେରିକାକୁ ପ୍ରସ୍ତୁତ ରହିବାକୁ ପଡ଼ିବ।ତେବେ କେଉଁ ପ୍ରକାରର ଅସ୍ତ୍ର କକ୍ଷପଥରେ ମୁତୟନ କରାଯାଇଛି, ସେଗୁଡ଼ିକର କ୍ଷମତା କ’ଣ ଏବଂ କେବେ ମୁତୟନ କରାଯାଇଥିଲା ସେନେଇ ସେ ବିସ୍ତୃତ ସୂଚନା ଦେଇନାହାନ୍ତି । ଆମେରିକାର ସଶସ୍ତ୍ର ବାହିନୀର ଅନ୍ତରିକ୍ଷ ଶାଖା ‘ୟୁଏସ୍ ସ୍ପେସ୍ ଫୋର୍ସ’ ମଧ୍ୟ କକ୍ଷପଥରେ ‘ଅନ୍-ଅର୍ବିଟ୍ ସ୍ପେସ୍ କଣ୍ଟ୍ରୋଲ୍ ୱେପନ୍’ ଥିବା କଥା ସ୍ୱୀକାର କରିଛି। ଏହି ଅସ୍ତ୍ରଗୁଡ଼ିକ ଶତ୍ରୁପକ୍ଷର ଆକ୍ରମଣାତ୍ମକ କାର୍ଯ୍ୟକଳାପରୁ ଆମେରିକୀୟ ଯୁକ୍ତ ସାମରିକ ବାହିନୀକୁ ସୁରକ୍ଷା ଦେବାରେ ସକ୍ଷମ ବୋଲି କୁହାଯାଇଛି। ସ୍ପେସ୍ ଫୋର୍ସର ବ୍ୟାଖ୍ୟା ଅନୁସାରେ, ‘ସ୍ପେସ୍ କଣ୍ଟ୍ରୋଲ୍’ ମିଶନ୍‌ରେ ଅନ୍ତରୀକ୍ଷ କ୍ଷେତ୍ରରେ ଚ୍ୟାଲେଞ୍ଜର ମୁକାବିଲା ଓ ନିୟନ୍ତ୍ରଣ ବଜାୟ ରଖିବା ଭଳି କାର୍ଯ୍ୟ ସାମିଲ ରହିଛି।

ଏଥିପାଇଁ ଶତ୍ରୁପକ୍ଷର କ୍ଷମତାକୁ ପ୍ରଭାବିତ କରିବାରେ ‘କାଇନେଟିକ୍’ ଓ ‘ନନ୍-କାଇନେଟିକ୍’ ଉପାୟ ବ୍ୟବହାର କରାଯାଇପାରେ । ଆମେରିକା କହିଛି ଯେ, ଏହି କ୍ଷମତାଗୁଡ଼ିକୁ ଆବଶ୍ୟକତା ଅନୁସାରେ ଆକ୍ରମଣାତ୍ମକ ଓ ପ୍ରତିରକ୍ଷା, ଉଭୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରେ। ଆମେରିକାର ଘୋଷଣା ପରେ କଡ଼ା ପ୍ରତିକ୍ରିୟା ଦେଇଛି ଚୀନ୍। ମହାକାଶରେ ଯୁଦ୍ଧ ପାଇଁ ପ୍ରସ୍ତୁତି ବନ୍ଦ କରିବାକୁ ୱାଶିଂଟନ୍ କୁ କହିଛି ବେଜିଂ। ମହାକାଶର ସାମରିକୀକରଣ ଓ ଅସ୍ତ୍ରୀକରଣ ଏକ ନୂଆ ଅସ୍ତ୍ର ପ୍ରତିଦ୍ବନ୍ଦ୍ବିତାକୁ ଜନ୍ମ ଦେଇପାରେ ବୋଲି ଚୀନ୍ ଚେତାଇ ଦେଇଛି। ୧୯୬୭ର ଆଉଟର ସ୍ପେସ୍ ଟିଏଟି ଅନୁସାରେ ପୃଥିବୀର କକ୍ଷପଥରେ ପରମାଣୁ ଅସ୍ତ୍ର କିମ୍ବା ଅନ୍ୟ ୱେପନ ମାସ୍ ଡେଷ୍ଟ୍ରକ୍ସନ ମୁତୟନ ଉପରେ ପ୍ରତିବନ୍ଧକ ରହିଛି।କିନ୍ତୁ ସମସ୍ତ ପ୍ରକାର ପାରମ୍ପରିକ ଅସ୍ତ୍ରକୁ ନେଇ ସେଭଳି ସମ୍ପୂର୍ଣ୍ଣ ନିଷେଧ ନାହିଁ। ଫଳରେ ଆମେରିକାର ଏହି ଘୋଷଣା ଏବେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ସ୍ଥଳ, ଜଳ ଓ ଆକାଶ ପରେ ମହାକାଶ ପାଲଟିପାରେ ଆମେରିକା, ଚୀନ୍ ଓ ରୁଷ୍ ମଧ୍ୟରେ ପରବର୍ତ୍ତୀ ସାମରିକ ପ୍ରତିଯୋଗିତାର କ୍ଷେତ୍ର।

ଅଧିକ ପଢନ୍ତୁ