ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ । ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ଭଦନଗରରେ ଜନ୍ମ ନେଇଥିବା ମୋଦୀ ୭୬ ବର୍ଷ ପୂରଣ କରିଛନ୍ତି। ତାଙ୍କ ଜନ୍ମଦିନକୁ ନେଇ ବିଜେପି ପକ୍ଷରୁ ଦେଶବ୍ୟାପୀ ଭାବେ ବିଭିନ୍ନ ସେବା ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ତେବେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସୋସିଆଲ୍ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ବିକଶିତ ଭାରତର ସ୍ୱପ୍ନଦ୍ରଷ୍ଟା, ପ୍ରେରଣାଦାୟୀ ନେତୃତ୍ୱ ଓ କୋଟି କୋଟି ଭାରତୀୟଙ୍କ ସ୍ୱାଭିମାନର ପ୍ରତୀକ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କର ଯୁଗାନ୍ତକାରୀ ଦିଗଦର୍ଶନ ଓ ଓଡ଼ିଶା ପ୍ରତି ଅତୁଟ ସ୍ନେହ ଆମକୁ ଏକ ସଶକ୍ତ, ଆତ୍ମନିର୍ଭର ତଥା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନୂତନ ଶକ୍ତି ଯୋଗାଉଛି। ତାଙ୍କର ଏହି କର୍ମଯୋଗୀ ଜୀବନ ଆମକୁ ଜନକଲ୍ୟାଣ ଓ ସେବା ସଂକଳ୍ପରେ ଆଗେଇ ନେବାକୁ ସଦା ପ୍ରେରଣା ଦେଉ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଦୀର୍ଘାୟୁ, ନିରାମୟ ଜୀବନ ଏବଂ ରାଷ୍ଟ୍ରସେବା ପାଇଁ ଅପାର ଶକ୍ତି ପ୍ରଦାନ କରନ୍ତୁ।ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ଅଭିଯାନ ସହ ଅନ୍ୟାନ୍ୟ ସେବାମୂଳକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ସନ୍ଧ୍ୟାରେ ଦେଶର ୭୦୦ରୁ ଅଧିକ ସ୍ଥାନରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ହେବା ନେଇ ବିଜେପି ପକ୍ଷରୁ କୁହାଯାଇଛି । ବିଜେପି ପକ୍ଷରୁ ଗୁରୁବାରଠାରୁ ମାସେ ବ୍ୟାପୀ ‘ସେବା ସଙ୍କଳ୍ପ ଅଭିଯାନ’ ଆରମ୍ଭ କରାଯାଉଛି। ଦଳ ପକ୍ଷରୁ କୁହାଯାଇଛି, ଏହି ଅଭିଯାନରେ ସେବା, ସ୍ୱଚ୍ଛତା, ରକ୍ତଦାନ ଓ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମକୁ ସାମିଲ କରାଯିବ।

ଅଧିକ ପଢନ୍ତୁ