ପୂର୍ତ୍ତ ବିଭାଗକୁ ନେଇ ବଡ଼ ବୈଠକ ଡାକିଛନ୍ତି ରାଜ୍ୟର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଲୋକସେବା ଭବନରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଲିଥିବା ରାସ୍ତା, ଫ୍ଲାଏଓଭର, କୋଠାବାଡ଼ି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପର ଗୁଣବତ୍ତା ଓ ବିଳମ୍ବକୁ ନେଇ ସାଂସଦ ଏବଂ ବିଧାୟକ ମାନେ ମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ ଜଣାଇଥିଲେ । ଜନପ୍ରତିନିଧିଙ୍କ ଏହି ଚିଠିକୁ ଗୁରୁତ୍ୱର ସହ ନେଇ ମନ୍ତ୍ରୀ ଏହି ଜରୁରୀ ସମୀକ୍ଷା ବୈଠକ ଡାକିଛନ୍ତି ।ଏହା ପୂର୍ବରୁ ମଧ୍ୟ ସମ୍ପୃକ୍ତ ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିବା ଜଣାପଡ଼ିଛି । ଏବେ କମିଟିର କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରସ୍ତାବ ନେଇ ଆଗକୁ କିପରି ପଦକ୍ଷେପ ନିଆଯିବ, ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଉଥିବା ସୂଚନା ମିଳିଛି । ବୈଠକରେ ପୂର୍ତ୍ତ ବିଭାଗର ସଚିବଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଜନପ୍ରତିନିଧିମାନଙ୍କ ଚିଠି ଓ ପ୍ରସ୍ତାବ ଉପରେ କି ପଦକ୍ଷେପ ନିଆଯିବ, ତାହା ଉପରେ ନଜର ରହିଛି ।
