କାନାଡାରେ ଉଡ଼ାଣ ତାଲିମ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ! ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ

କାନାଡାରେ ଉଡ଼ାଣ ତାଲିମ ସମୟରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । କାନାଡାରେ ଥିବା ଭାରତୀୟ ଦୂତାବାସ ଏହି ଦୁଃଖଦ ଘଟଣାର ନିଶ୍ଚିତ କରିଛି । ଛାତ୍ରମାନେ ସେମାନଙ୍କର ବାଣିଜ୍ୟିକ ପାଇଲଟ୍ ବିମାନ ଚଳାଚଳ ତାଲିମ ପାଇଁ ଉଡ଼ାଣ ଅଭ୍ୟାସ କରୁଥିଲେ। ମୃତକଙ୍କୁ ତାମିଲନାଡୁର ମନୋଜ ଶିବକୁମାର ଏବଂ ପୁଡୁଚେରୀର ଶ୍ରୀଚରଣ ତିରୁଗନାସମ୍ବନ୍ଥମ ବୋଲି ଚିହ୍ନଟ କରାଯାଇଛି ।ଶୋକସନ୍ତପ୍ତ ପରିବାର ଓ ନିକଟ ସମ୍ପର୍କୀୟଙ୍କ ପ୍ରତି ଦୂତାବାସ ଗଭୀର ସମବେଦନା ଜଣାଇଛି। ଦୁଇ ଛାତ୍ରଙ୍କ ପାର୍ଥିବ ଶରୀର ଭାରତ ଆଣିବା ପ୍ରକ୍ରିୟାରେ ପରିବାରକୁ ସମସ୍ତ ପ୍ରକାରର ସହାୟତା ଦେବାକୁ ଭାରତୀୟ ମହାବାଣିଜ୍ୟ ଦୂତାବାସ ପ୍ରସ୍ତୁତ ଥିବା କହିଛି ।

ଏପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। କାନାଡାର ମିଡିଆ ରିପୋର୍ଟ ଅନୁସାରେ, ସସ୍କାଚେୱାନ୍‌ର କିସବେ ନିକଟରେ Harv’s Air ଦ୍ୱାରା ପରିଚାଳିତ ଏକ Cessna 172 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁସାରେ, ଉକ୍ତ Cessna 172 ବିମାନଟି ରେଜିନାରୁ କାର୍ଲାଇଲ୍‌ ଦେଇ ମାନିଟୋବାର ଷ୍ଟାଇନବାକ୍‌ ଅଭିମୁଖେ ରାତିରେ କ୍ରସ୍-କଣ୍ଟ୍ରି ଉଡ଼ାଣ କରୁଥିଲା। ନିର୍ଦ୍ଧାରିତ ସମୟରେ ବିମାନଟି ଗନ୍ତବ୍ୟରେ ନପହଞ୍ଚିବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ପରେ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳ ଠାବ କରିଥିଲେ ଏବଂ ଦୁଇ ଜଣଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାର କାରଣ ତଦନ୍ତ କରୁଛି।

ଅଧିକ ପଢନ୍ତୁ