ଭିଜିଲାନ୍ସ ଜାଲରେ ପିଇଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ କାର୍ଯ୍ୟରତ PEO କାର୍ତ୍ତିକେଶ୍ୱର ବେହେରାଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ପାଇବା ପରେ ସମ୍ବଲପୁର ଡିଭିଜନ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । କାର୍ତ୍ତିକ ବେହେରାଙ୍କ ପୈତୃକ ଘର କନ୍ଦାଗାଡ଼ ସମେତ କଟାବାହାଲ ପଞ୍ଚାୟତ କାର୍ଯ୍ୟାଳୟ ଓ ଗାଇସିଲେଟ ବ୍ଲକ୍ କାର୍ଯ୍ୟାଳୟରେ ଏକାସାଙ୍ଗରେ ଯାଞ୍ଚ ଚାଲିଛି । ଚଢ଼ାଉ ସମୟରେ ଏପର୍ଯ୍ୟନ୍ତ ନଗଦ ପ୍ରାୟ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ଏହାସହ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା, ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ଚେକ୍ ବୁକ୍ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଟିମ୍ ଜବତ କରିଛି । ଓଡ଼ିଶା ଭିଜିଲାନ୍ସର ୫ ଜଣ ଡିଏସ୍‌ପି, ୮ ଜଣ ଇନ୍‌ସ୍ପେକ୍ଟର, ୨ ଜଣ ଏଏସ୍‌ଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍‌ ୬ଟି ସ୍ଥାନରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ବିଭିନ୍ନ କାଗଜପତ୍ର ଓ ସମ୍ପତ୍ତି ସମ୍ପର୍କିତ ଦସ୍ତାବିଜ ଯାଞ୍ଚ କରାଯାଉଛି।ବ୍ଲକର ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ଓ ଲାଞ୍ଚ ନେବା ନେଇ ପୂର୍ବରୁ ତାଙ୍କ ବିରୋଧରେ ଅଭିଯୋଗ ଥିବା ଜଣାପଡ଼ିଛି। ତେବେ ଚଢ଼ାଉ ଏବେ ମଧ୍ୟ ଜାରି ରହିଥିବାରୁ ମୋଟ କେତେ ପରିମାଣର ସମ୍ପତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ ଠାବ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ପରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ ।

ଅଧିକ ପଢନ୍ତୁ