ଓଡ଼ିଶାର ବାଉଁଶ କ୍ଷେତ୍ର ପାଇଁ ଆସିଛି ବଡ଼ ସଫଳତା । ଭାରତୀୟ ବନ ଓ କାଠ ପ୍ରମାଣୀକରଣ ଯୋଜନା (Indian Forest and Wood Certification Scheme) ଅଧୀନରେ ଓଡ଼ିଶାକୁ ମିଳିଛି ‘ପ୍ରମାଣ’ ସାର୍ଟିଫିକେଟ୍ । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି ।ମୟୂରଭଞ୍ଜ ଜିଲ୍ଲା ଗୋବର୍ଦ୍ଧନଶୂଳ ସ୍ଥିତ ଲକ୍ଷ୍ମୀପୋଷିର ବାଉଁଶ ଚାଷୀ ଗୋବିନ୍ଦ ମହାପାତ୍ର ଏବଂ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ମିଶନ ନିର୍ଦ୍ଦେଶକ କାର୍ତ୍ତିକ ଭି. ଏହି ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି । ଏହି ପ୍ରମାଣୀକରଣ ଅଧୀନରେ ବାମ୍ବୁସା ଭଲ୍ଗାରିସ୍, ବାମ୍ବୁସା ନ୍ୟୁଟାନ୍ସ ଏବଂ ଡେଣ୍ଡ୍ରୋକାଲାମସ୍ ଷ୍ଟ୍ରିକ୍ଟସ୍ ଭଳି ବାଉଁଶ ପ୍ରଜାତି ସାମିଲ ରହିଛି । ଏଗୁଡ଼ିକ ନିର୍ମାଣ କାର୍ଯ୍ୟ ଓ ଆସବାବପତ୍ର ପ୍ରସ୍ତୁତିରେ ବାଣିଜ୍ୟିକ ଭାବେ ବ୍ୟବହୃତ ହୋଇଥାଏ । ଏନ୍ଏବିସିବି ଦ୍ୱାରା ସ୍ୱୀକୃତ ପ୍ରମାଣୀକରଣ ସଂସ୍ଥା ଏହି ପ୍ରକ୍ରିୟାର ଅଡିଟ୍ କରିଥିଲା ।
