ଆଙ୍କୁଲାଇ ଉଚ୍ଚ ବିଦ୍ୟାଳୟରେ  ବିଜ୍ଞାନ ପ୍ରଦର୍ଶନୀ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଆଙ୍କୁଲାଇ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଏକ ଉତ୍ସବମୁଖର ପରିବେଶରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନଙ୍କ ଭିତରେ ବିଜ୍ଞାନ ପ୍ରତିପାଦନ ଓ ସୃଜନଶୀଳତାର ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା।


ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ବିଜ୍ଞାନ ସୁପରଭାଇଜର୍ ଶରତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ। ସେ ତାଙ୍କ ପ୍ରେରଣାଦାୟୀ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଜିଜ୍ଞାସୁ ଓ ଅଭିସନ୍ଧିତ୍ସୁ ହୋଇ ଜୀବନକୁ ଅଧିକ ଶୃଙ୍ଖଳିତ ଏବଂ ସରଳ କରିବା ପାଇଁ ଆହ୍ୱାନ ଦେଇଥିଲେ।


ଏହି ପ୍ରଦର୍ଶନୀରେ ସବ୍-ଜୁନିୟର, ଜୁନିୟର ଏବଂ ସିନିୟର—ଏହି ତିନୋଟି ବର୍ଗରେ ମୋଟ ୪୭ଟି ଆକର୍ଷକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ ସଜନାପଡ଼ା ହାଇସ୍କୁଲର ବରିଷ୍ଠ ବିଜ୍ଞାନ ଶିକ୍ଷକ  ସୁବ୍ରତ ରଂଜନ ପଢ଼ିଆରୀ। ସମଗ୍ର କାର୍ଯ୍ୟକ୍ରମର ଆୟୋଜନ ଓ ସଂଯୋଜନା ଦାୟିତ୍ୱ ବିଜ୍ଞାନ ଶିକ୍ଷକ  ଶିବ ଶଙ୍କର ଦାଶ ସଫଳତାର ସହ ତୁଲାଇଥିଲେ।


ପ୍ରଦର୍ଶନୀ ପରେ ଜୁନିୟର ଓ ସିନିୟର ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ଏକ ରୋମାଞ୍ଚକର ବିଜ୍ଞାନ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କୁଇଜ୍ ମାଷ୍ଟର ଭାବେ ବିଜ୍ଞାନ ଶିକ୍ଷୟିତ୍ରୀ  ଶୁଭସ୍ମିତା ରାଉଳ ଓ  ସଂଧ୍ୟାରାଣୀ ସାହୁ ଦାୟିତ୍ୱ ନିର୍ବାହ କରିଥିଲେ। ସିନିୟର ବିଭାଗରେ ଦଶମ ଶ୍ରେଣୀର ମେଧାବୀ ଛାତ୍ର ଅଂଶୁମାନ ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆସିଛନ୍ତି।
ପରିଶେଷରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ବରିଷ୍ଠ ଶିକ୍ଷୟିତ୍ରୀ ସୋରିୟା ସୁଲତାନା ସଭା ସଂଚାଳନ କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢନ୍ତୁ