ପିଲାମାନଙ୍କ ସହିତ କଥା ହେଲେ, ସ୍କୁଲ କିଟ୍ ପିନ୍ଧାଇଦେଲେ, ଖାଦ୍ୟ ପରଷିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଅଙ୍ଗନବାଡି କେନ୍ଦ୍ରଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଏବଂ ‘୯ମ ରାଷ୍ଟ୍ରୀୟ ପୋଷଣ ମାସ’ ପାଳିତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ପୋଷଣ ମାସ ପାଳନ ଅବସରରେ ରାଜ୍ୟବ୍ୟାପୀ ୪୬ ଲକ୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି ଏବଂ ଆଧାର ଯାଞ୍ଚ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ଶିଶୁର ପ୍ରଥମ ୧୦୦୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ଶିଶୁଙ୍କ ସୂଚାରୁ ଲାଳନପାଳନରେ ମା’ମାନଙ୍କ ସହ ପିତା ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହଭାଗିତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ନିଃଶୁଳ୍କ କରାଯାଇଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ନାତକୋତ୍ତର (M.A.) ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯାଇଛି। ସେହିପରି ଜନ୍ମିତ ଶିଶୁ କନ୍ୟାମାନେ ସ୍ନାତକ ଶିକ୍ଷା ସମାପ୍ତ କଲେ ସେମାନଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ମାଧ୍ୟମରେ ଦେଶର ବଛା ବଛା ବେସରକାରୀ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡି ପିଲାମାନଙ୍କୁ ସ୍କୁଲ କିଟ୍ ବଣ୍ଟନ କରିବା ସହ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦର୍ଶନ ପାଇଁ ବାପାମାନଙ୍କୁ ପୁରସ୍କୃତ କରିଥିଲେ। ଏହା ସହ ଅଙ୍ଗନବାଡି କର୍ମୀ, ସହାୟିକା ଓ ଆଶା କର୍ମୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ‘ତ୍ରିରଙ୍ଗା ଥାଳି’ ଓ ଗରମ ରନ୍ଧା ଖାଦ୍ୟର ଗୁଣବତ୍ତା ଅନୁଧ୍ୟାନ କରିଥିଲେ ଏବଂ ପିଲାମାନଙ୍କୁ ଖାଦ୍ୟ ମଧ୍ୟ ପରଷି ଥିଲେ ।

ଅଧିକ ପଢନ୍ତୁ