ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ବଦଳିଲା AIର ନାଁ । ଏଆଇ ଏବେ ‘ସୁପର ଇଣ୍ଟେଲିଜେନ୍ସ’ । ଆମେରିକୀୟ କେନ୍ଦ୍ରୀୟ ପ୍ରଶାସନ ତଥା ଫେଡେରାଲ୍ ସରକାରରେ ଏଣିକି ଏହାକୁ କେବଳ ସୁପର ଇଣ୍ଟେଲିଜେନ୍ସ ବା ସଂକ୍ଷେପରେ SI ଭାବେ ବ୍ୟବହାର କରିବା ପାଇଁ ସେ ଏକ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ସ୍ୱାକ୍ଷର କରିଛନ୍ତି ।ଏହି ନିର୍ଦ୍ଦେଶନାମାର ଶୀର୍ଷକ ରହିଛି ଇନଅଗ୍ୟୁରେଟିଂ ଦି ଏରା ଅଫ୍ ସୁପର ଇଣ୍ଟେଲିଜେନ୍ସ । ରାଷ୍ଟ୍ରପତିଙ୍କ ଏହି ନୂତନ ଆଦେଶ ଅନୁସାରେ, ସରକାରୀ ସ୍ତରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ AI ଶବ୍ଦର ବ୍ୟବହାରକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯିବ। ଏଣିକି ଆମେରିକାର ସରକାରୀ ଦଲିଲରେ ‘Artificial Intelligence’ ବଦଳରେ ‘Super Intelligence’ ବା SI ଶବ୍ଦ ବ୍ୟବହାର କରାଯିବ । ତାଙ୍କ ମତରେ ‘Artificial’ ଶବ୍ଦଟି ଏହି ପ୍ରଯୁକ୍ତିକୁ ନକଲି ବୋଲି ଦର୍ଶାଉଥିବା ଭଳି ଲାଗୁଛି, ଯେତେବେଳେ ଏହା ବାସ୍ତବ ଏବଂ ଅତ୍ୟନ୍ତ ଶକ୍ତିଶାଳୀ ପ୍ରଯୁକ୍ତି। ଜାତିସଂଘ ସାଧାରଣ ସଭା ସମୟରେ ଟ୍ରମ୍ପ ଏହି ନାମ ପରିବର୍ତ୍ତନର କଥା କହିଥିଲେ । ସେ କହିଥିଲେ, ଆମେରିକା AI କ୍ଷେତ୍ରରେ ଚୀନ୍ଠାରୁ ଆଗରେ ରହିବାକୁ ଚାହୁଁଛି । ରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତି ପରେ ବିଶ୍ୱ ଟେକ୍ନୋଲୋଜି ମହଲରେ ଚର୍ଚ୍ଚା ଜୋର୍ ଧରିଛି। ବୈଷୟିକ ବିଶେଷଜ୍ଞଙ୍କ ମତରେ, ବୈଜ୍ଞାନିକ ଭାଷାରେ AI ଏବଂ କଳ୍ପିତ ସମ୍ପୂର୍ଣ୍ଣ ସ୍ୱୟଂଶାସିତ ‘ଆର୍ଟିଫିସିଆଲ୍ ସୁପର ଇଣ୍ଟେଲିଜେନ୍ସ (ASI)’ ମଧ୍ୟରେ ପାର୍ଥକ୍ୟ ରହିଛି । ତଥାପି, ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱସ୍ତରରେ ଆମେରିକାର ପ୍ରାଧାନ୍ୟ ବଜାୟ ରଖିବା ଏବଂ ଏକ ଶକ୍ତିଶାଳୀ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଟ୍ରମ୍ପ ପ୍ରଶାସନ ଏହି ବ୍ରାଣ୍ଡିଂ ପରିବର୍ତ୍ତନ କରିଥିବା ରାଜନୈତିକ ସମୀକ୍ଷକମାନେ ପ୍ରକାଶ କରିଛନ୍ତି ।
