ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ୧୩ରେ ଆଣ୍ଡାମାନ ସାଗରରେ ଏହା ଲଘୁଚାପରେ ପରିଣତ ହୋଇପାରେ। ୧୫ ତାରିଖବେଳକୁ ଏହା ଦକ୍ଷିଣ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେବାର ସ୍ବଳ୍ପ ସମ୍ଭାବନା ମଧ୍ୟ ରହିଛି। ଏବେ ସୁଦ୍ଧା ଏତିକି ପୂର୍ବାନୁମାନ ଦେଖାଇଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)।୧୨ ତାରିଖରୁ ଆଣ୍ଡାମାନ ସାଗରର ପାଗ ବଦଳିବ । ଏହା କେତେ ଘନୀଭୂତ ହେବ ଏବଂ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ କି ନାହିଁ ସେ ନେଇ ସଠିକ ପୂର୍ବାକଳନ ହୋଇନାହିଁ । ଚଳିତ ବର୍ଷା ମୋଟ ୧୦ଟି ପାଣିପାଗ ସିଷ୍ଟମ୍ ସୃଷ୍ଟି ହୋଇଥିଲା। ସେଥିମଧ୍ୟରୁ ୬ଟି ଲଘୁଚାପ କ୍ଷେତ୍ର, ୩ଟି ଡିପ୍ରେସନ୍ ଏବଂ ଗୋଟିଏ ଡିପ୍ ଡିପ୍ରେସନ୍ ରହିଥିଲା ।ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ୧୩ରୁ ୧୫ ତାରିଖ ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ଘନୀଭୂତ ହେବା ପାଇଁ ବାତାବରଣ ଅନୁକୂଳ ରହୁଛି। ମାତ୍ର ଏବେଠାରୁ ଏହାର ତୀବ୍ରତା,ପ୍ରଭାବ ଓ ଗତିପଥ ନେଇ କିଛି କହି ହେବନି। ଆସନ୍ତା ୭/୮ ତାରିଖବେଳକୁ ଚିତ୍ର ସ୍ପଷ୍ଟ ହୋଇପାରେ।
