ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଭୁବନେଶ୍ବରରୁ ଶୁଭାରମ୍ଭ କରିଛନ୍ତି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଚାଲିବ ଏହି ଅଭିଯାନ ।ବିମାନବନ୍ଦର ନିକଟସ୍ଥ ରଜ ପଡିଆରୁ ପଦଯାତ୍ରାର ଶୁଭାରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜୁ ଜନତା ଦଳ ତାର ଭଲ କାମ ପାଇଁ ସବୁବେଳେ ଲୋକଙ୍କ ହୃଦୟରେ ଅଛି ଓ ରହିଥିବ । ଓଡ଼ିଶା ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । ସରକାର କହୁଛନ୍ତି ଲୋକଙ୍କ ସରକାର କିନ୍ତୁ ଲୋକଙ୍କ କଥା ଶୁଣିବାକୁ କେହି ନାହିଁ । ପିଲାଙ୍କ ପଢା ବହି ନାହିଁ । ବୁଢାବୁଢ଼ିଙ୍କ ପେନସନ ନାହିଁ । ଚାଷୀ ହଇରାଣ । ମା ମାନେ ହଇରାଣ । ଆଇନ ଶୃଙ୍ଖଳା ବୋଲି କିଛି ନାହିଁ ।ରାଜ୍ୟ ସରକାରଙ୍କ ବିଫଳତା ଓ ପରିଚାଳନା ଉପରେ ନବୀନ କହିଥିଲେ ଯେ, ସରକାର ଗୋଟିଏ ବି ରଥଯାତ୍ରା ଠିକ୍ ଭାବରେ ପରିଚାଳନା କରି ପାରିଲେନି । ବନ୍ୟା ରିଲିଫରେ କୁପରିଚାଳନା, ଧାନ ସଂଗ୍ରହରେ କୁପରିଚାଳନା, ନିଯୁକ୍ତି ପରୀକ୍ଷା କୁପରିଚାଳନା, ଅର୍ଥ ବ୍ୟବସ୍ଥାରେ କୁପରିଚାଳନା, ସବୁ କାମରେ ଏ ସରକାର ଫେଲ୍ । ଲୋକ କହୁଛନ୍ତି ଯେ, ବିଜେପି ସରକାର କୁପରିଚାଳନାରେ ବିଶେଷ ଦକ୍ଷତା ହାସଲ କରିଛି । କେନ୍ଦ୍ର ସରକାର ଖଣି ଉପରୁ ଓଡ଼ିଶାବାସୀଙ୍କ ଅଧିକାର ନେଇଗଲେ । ଓଡ଼ିଶା ସରକାର ଚୁପ୍ ।ରାଜସ୍ବ କମୁଛି, କିଛି କାମ ହେଉନି, ବଜେଟ ଖର୍ଚ୍ଚ ହେଉନି।ରାଜ୍ୟର ଋଣଭାର ବଢ଼ିଚାଲିଥିବା କହିଛନ୍ତି ନବୀନ ପଟ୍ଟନାୟକ।
