ଇଟାମାଟିରେ କଂଗ୍ରେସ ସେବାଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ: ଭବ୍ୟ କୁଇଜ୍ ପ୍ରତିଯୋଗିତାରେ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ

ନୟାଗଡ଼(ଓଡ଼ିଶା ଦର୍ପଣ):
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ସୁଭେନ୍ଦୁ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ନୟାଗଡ଼ ଜିଲ୍ଲା ଇଟାମାଟି ଠାରେ କଂଗ୍ରେସ ସେବାଦଳ ତରଫରୁ ଏକ ଭବ୍ୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟ ବାପୁଙ୍କ ଜୀବନୀ, ଆଦର୍ଶ ଓ ସ୍ୱାଧୀନତା ସଂଗ୍ରାମ ଉପରେ ଆଧାରିତ ଏହି ପ୍ରତିଯୋଗିତାରେ ଅଞ୍ଚଳର ୨୦ଟି ହାଇସ୍କୁଲ ଏବଂ ୧୦ଟି କଲେଜରୁ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅତ୍ୟନ୍ତ ଉତ୍ସାହର ସହିତ ଭାଗ ନେଇଥିଲେ।
ସେବାଦଳ ଓଡ଼ିଶାର ସାଧାରଣ ସମ୍ପାଦକ ମନୋଜ ସାହୁଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କର ‘ଅହିଂସା’ ଓ ‘ସତ୍ୟ’ର ଅମର ବାର୍ତ୍ତାକୁ ଯୁବପିଢ଼ିଙ୍କ ମଧ୍ୟରେ ପ୍ରସାରିତ କରିବା ଏବଂ ସେମାନଙ୍କ ବୌଦ୍ଧିକ ବିକାଶ ଘଟାଇବା ଥିଲା ଏହି ଆୟୋଜନର ମୁଖ୍ୟ ଲକ୍ଷ୍ୟ।


ଏହି ସମାରୋହରେ ପ୍ରମୁଖ ନେତୃବୃନ୍ଦ ଓ ସଦସ୍ୟମାନଙ୍କ ମଧ୍ୟରେ ସତ୍ୟପ୍ରକାଶ ନାୟକ, ଉମେଶ ଚନ୍ଦ୍ର ପଟ୍ଟନାୟକ, ଦିଗାମ୍ବର ବେହେରା, ଦାମୋଦର ସାହୁ, ନାରାୟଣ ସାହୁ, ପବିତ୍ର ଇନ୍ଦ୍ରଜିତ, ଧ୍ରୁବ ଚରଣ ପରିଡ଼ା, ବୈଜୟନ୍ତୀମାଳା ମହାନ୍ତି, ଆନ୍ତର୍ଜାମୀ ସାହୁ, ଶଶିକାନ୍ତ ସାହୁ, ସୂର୍ଯ୍ୟମଣି ସାହୁ, ଅଶୋକ ସାହୁ, କୁଶ ମହାରଣା ଏବଂ ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରତିଯୋଗିତା ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଗାନ୍ଧୀ ଜୟନ୍ତୀ ଅବସରରେ କଂଗ୍ରେସ ସେବାଦଳର ଏଭଳି ସାମାଜିକ ଓ ଶୈକ୍ଷିକ ପ୍ରଚେଷ୍ଟାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଆକୁଣ୍ଠ ପ୍ରଶଂସା କରିଛନ୍ତି।

ଅଧିକ ପଢନ୍ତୁ