ପ୍ରଣବଙ୍କ ଉପରେ ଆକ୍ରମଣ ଘଟଣାର ଅଭିଯୁକ୍ତ ୪୮ ଘଣ୍ଟାରେ ହେବେ ଗିରଫ । ଏନେଇ ପ୍ରତିଶ୍ରୁତି ଦେଇଛନ୍ତି ଯାଜପୁର ଏସପି ୟଶ ପ୍ରତାପ ଶ୍ରୀମଲ । ଅନ୍ୟପଟେ ଯାଜପୁର ଏସପି ଅଫିସ ଆଗରୁ ହଟିଛି ବିଜେଡି ନେତା ଓ କର୍ମୀଙ୍କ ଧାରଣା। ଆକ୍ରମଣକାରୀଙ୍କୁ ଗିରଫ ପାଇଁ ଏସପିଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହାର ହୋଇଛି। ଧର୍ମଶାଳାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ ଅଭିଯୋଗ ପରେ ଏସପି ଅଫିସ ଆଗରେ ଏକାଠି ହୋଇଥିଲେ ଯାଜପୁରର ବିଜେଡି ନେତା ଓ କର୍ମୀ। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣା ଦେଇଥିଲେ। ଏହି ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସରକାର ଓ ପୋଲିସକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଖୋଲା ଦିବାଲୋକରେ ଜନପ୍ରତିନିଧିଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ପୋଲିସ ଓ ସରକାର କାହିଁକି ନିରବ ବୋଲି ସେ ପ୍ରଶ୍ନ କରିଛନ୍ତି ।ସୋସିଆଲ ମିଡିଆ ହ୍ୟାଣ୍ଡେଲ Xରେ ପୋଷ୍ଟ କରି ନବୀନ କହିଛନ୍ତି ଯେ, ଜେନାପୁର ଥାନା ମଧୁପୁରଗଡ଼ରେ ପ୍ରଣବ ବଳବନ୍ତରାୟଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ପୋଲିସ ଉପସ୍ଥିତିରେ ଜଣେ ଜନପ୍ରତିନିଧିଙ୍କ ଉପରେ ଏଭଳି ଆକ୍ରମଣ ହେବାକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି । ଅପରାଧୀଙ୍କୁ ଏ ସାହସ କିଏ ଦେଉଛି? ଓଡ଼ିଶାରେ ଆଇନର ଶାସନ ଚାଲିଛି ନା ଗୁଣ୍ଡାଙ୍କର? ବୋଲି ପ୍ରଶ୍ନ କରି ଛନ୍ତି ନବୀନ ।
