ଦିଲ୍ଲୀରେ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ ଦଳର ଆନ୍ଦୋଳନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi) ଙ୍କ ବିରୋଧରେ ଆଉ ଏକ ଏଫଆଇଆର ରୁଜୁ ହୋଇଛି। ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ବେଳେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଉଭୟଙ୍କ ନାଁରେ FIR ରୁଜୁ କରିଛି ଦିଲ୍ଲୀ ପୋଲିସ ।ଖବର ମୁତାବକ, ଦିଲ୍ଲୀରେ ବିରୋଧୀ INDIA ମେଣ୍ଟର ପ୍ରତିବାଦ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳର ସାଂସଦମାନେ ପ୍ରତିବାଦ କରିଥିଲେ । ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ସହ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ । ପ୍ରତିବାଦ ବେଳେ ପୋଲିସ ଓ ବିରୋଧୀ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରାଯିବା ସହ ସରକାରୀ କାମରେ ବାଧା ସୃଷ୍ଟି କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ରାହୁଲ ଓ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ପିଟିଆଇ ରିପୋର୍ଟରେ କୁହାଯାଇଛି ।ଏହା ପୂର୍ବରୁ ମଙ୍ଗଳବାରର ବିକ୍ଷୋଭକୁ ନେଇ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଏକ ଏଫଆଇଆର ହୋଇଥିଲା। ନିର୍ବାଚନ କମିଶନ କାର୍ଯ୍ୟାଳୟ ଅଭିମୁଖେ ମାର୍ଚ୍ଚକୁ ପୁଲିସ ଅଟକାଇବା ପରେ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ କିଛି ବିରୋଧୀ ନେତା ବିନା ଅନୁମତିରେ ଆକାଶବାଣୀ ଭବନ ପରିସରକୁ ପ୍ରବେଶ କରିଥିବା ଅଭିଯୋଗ ରହିଛି।
