SEBC କମିଶନ ଗଠନ ନେଇ ସରକାରଙ୍କୁ ଟାର୍ଗେଟ୍ କଲା ବିଜେଡି

ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ବର୍ଗ ବା SEBCଙ୍କ ରାଜନୈତିକ ପଛୁଆପଣ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ସେମାନଙ୍କ ପ୍ରତିନିଧିତ୍ୱର ଅନୁଧ୍ୟାନ ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର କମିଶନ । ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କୁ କମିଶନର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିଜୟ କୁମାର ପୃଷ୍ଟିଙ୍କୁ ସଦସ୍ୟ ଏବଂ ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ମିଶ୍ରଙ୍କୁ ସଦସ୍ୟ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠର ନିର୍ଦ୍ଦେଶ ଅନୁସାରେ ଏହି କମିଶନ ଗଠନ କରାଯାଇଛି । ଅନ୍ୟପଟେ SEBC କମିଶନ ଗଠନ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଯେ, ପଞ୍ଚାୟତ ଓ ପୌର ନିର୍ବାଚନ ଘୁଞ୍ଚାଇବାକୁ ସରକାରଙ୍କ ପ୍ଲାନ । SEBC କମିଶନ ଗଠନ କରି ନିର୍ବାଚନ ଘୁଞ୍ଚାଇବାକୁ ସରକାରଙ୍କ ଯୋଜନା । SEBC କମିଶନ ଗଠନ ଦ୍ଵନ୍ଦ ସୃଷ୍ଟି କରୁଛି । ବର୍ତ୍ତମାନ ଜନଗଣନା ଚାଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଜାତି ଭିତ୍ତିକ ଜନଗଣନା ହେବ । ବର୍ତ୍ତମାନ SEBC କମିଶନ ଆଉ ଥରେ ସର୍ଭେ କରିବେ କି ? ଏବେ ୱାର୍ଡ, କାଉନସିଲ, ଚେୟାରମ୍ୟାନ ପାଇଁ ସଂରକ୍ଷଣ ବାହାରି ସାରିଛି । SEBCଙ୍କ ପାଇଁ କୌଣସି ସଂରକ୍ଷଣ ନାହିଁ । କେବଳ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଘୁଞ୍ଚାଇବାକୁ ସରକାର ଯୋଜନା କରୁଛନ୍ତି ।

ଅଧିକ ପଢନ୍ତୁ