SIR ପରେ SSR ଏଣ୍ଟ୍ରି! ୧୭ ରାଜ୍ୟରେ ଭୋଟର ଲିଷ୍ଟ ଅପଡେଟ୍ କରିବ ନିର୍ବାଚନ ଆୟୋଗ

ଭୋଟର ତାଲିକାର ଏସଆଇଆରକୁ ନେଇ ବିବାଦ ଥମିନଥିବା ବେଳେ ଏବେ ସ୍ୱତନ୍ତ୍ର ସଂକ୍ଷିପ୍ତ ପୁନଃନିରୀକ୍ଷଣକୁ ନେଇ ଆସିଛି ନୂଆ ଘୋଷଣା। ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକା ସଂଶୋଧନ ପାଇଁ କାର୍ଯ୍ୟସୂଚୀ ଜାରି କରିଛନ୍ତି ନିର୍ବାଚନ ଆୟୋଗ। ଏହି ନିଷ୍ପତ୍ତି ଫଳରେ ନୂଆ ଭୋଟରଙ୍କ ନାମ ଯୋଡ଼ିବା ସହ ପୁରୁଣା ତାଲିକାରେ ଥିବା ତ୍ରୁଟି ସୁଧାରିବାର ସୁଯୋଗ ମିଳିବ। ଆସନ୍ତା ୨୦୨୭ରେ ଯେଉଁ ରାଜ୍ୟଗୁଡ଼ିକରେ ବିଧାନସଭା ନିର୍ବାଚନ ହେବ, ସେଗୁଡ଼ିକ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହେବେ। ଏଥିପାଇଁ ୧ ଜାନୁଆରୀ ୨୦୨୭କୁ ଧାର୍ଯ୍ୟ କରାଯାଇଛି।କାର୍ଯ୍ୟସୂଚୀ ଅନୁସାରେ, ନଭେମ୍ବର ୧୨ ତାରିଖରେ ପ୍ରାରମ୍ଭିକ ଭୋଟର ତାଲିକା ପ୍ରକାଶ ପାଇବ। ଏହା ପରେ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ନୂଆ ନାମ ଯୋଡ଼ିବା, ନାମ ବାଦ୍ ଦେବା ଏବଂ ତାଲିକାରେ ଥିବା ତ୍ରୁଟି ସୁଧାରିବା ପାଇଁ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ସମସ୍ତ ଦାବି ଓ ଆପତ୍ତିର ସମାଧାନ ପରେ ୪ ଜାନୁଆରୀ ୨୦୨୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ସମେତ ମୋଟ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପୁନରୀକ୍ଷଣ କରାଯିବ। ଏହି ତାଲିକାରେ ରହିଛି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର, ବିହାର, ତାମିଲନାଡୁ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜରାଟ, କେରଳ, ଆସାମ, ପୁଡୁଚେରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲକ୍ଷାଦ୍ୱୀପ।ଏହି ରାଜ୍ୟଗୁଡ଼ିକର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପଠାଯାଇଥିବା ଚିଠିରେ ନିର୍ବାଚନ ଆୟୋଗ SSR ପାଇଁ ଆବଶ୍ୟକ ପ୍ରସ୍ତୁତି ଓ ସମୟସୀମା ସମ୍ପର୍କରେ ସୂଚନା ଦେଇଛନ୍ତି।୨୦୨୭ରେ ଏପ୍ରିଲ, ଜୁଲାଇ ଓ ଅକ୍ଟୋବର ୧ ତାରିଖରେ ୧୮ ବର୍ଷ ବୟସ ପୂରଣ କରୁଥିବା ଯୁବକଯୁବତୀଙ୍କଠାରୁ ମଧ୍ୟ ଆଗୁଆ ଆବେଦନ ଗ୍ରହଣ କରାଯିବ।ଆସନ୍ତା ବର୍ଷ ଉତ୍ତରପ୍ରଦେଶ ସମେତ ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ପୁନଃନିରୀକ୍ଷଣକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ତେବେ ଯେଉଁ ରାଜ୍ୟଗୁଡ଼ିକରେ SIR ପ୍ରକ୍ରିୟା ଚାଲିଛି କିମ୍ବା ନିକଟରେ ଶେଷ ହୋଇଛି, ସେଠାରେ SSRର ବିସ୍ତୃତ କାର୍ଯ୍ୟସୂଚୀ ପରେ ଘୋଷଣା କରାଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି।

ଅଧିକ ପଢନ୍ତୁ