ଭାରତ-ଚୀନ୍ ସୀମାରେ ପୁଣି ଉତ୍ତେଜନା, ଅରୁଣାଚଳରେ ମୁହାଁମୁହିଁ ସ୍ଥିତି

ଭାରତ-ଚୀନ୍ ସୀମାରେ ପୁଣି ଉତ୍ତେଜନା । ଅରୁଣାଚଳ ପ୍ରଦେଶରେ ଏକାଧିକ ସ୍ଥାନରେ ଭାରତୀୟ ଓ ଚୀନ୍ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବା ନେଇ ବୟାନ ଦେଇଛନ୍ତି ଭାରତ-ତିବ୍ବତ ସୀମା ପୋଲିସ୍, ଅର୍ଥାତ୍ I TBPର ମହାନିର୍ଦ୍ଦେଶକ ଶତ୍ରୁଜିତ କପୁର ।ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ଉତ୍ତେଜନା କଥାକୁ ସ୍ବୀକାର କରିଛନ୍ତି। ରାଜସ୍ଥାନର ଅଲୱାରରେ ITBP ଯବାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଚୀନ୍ ସୈନ LAC ଠାରୁ ମାତ୍ର ଛଅରୁ ୭ କିଲୋମିଟର ଦୂରରେ କ୍ୟାମ୍ପ ପକାଇଛନ୍ତି। ଯାହାର ଜବାବରେ ଭାରତୀୟ ସେନା ମଧ୍ୟ କାଉଣ୍ଟର-ଡିପ୍ଲୟମେଣ୍ଟ କରି ନିଜ ସ୍ଥିତି ମଜବୁତ ରଖିଛି। ITBP ମହାନିର୍ଦ୍ଦେଶକଙ୍କ ଏହି ବୟାନ ସ୍ପଷ୍ଟ କରିଦେଇଛି ଯେ ସୀମାରେ ଅନେକ ସ୍ଥାନରେ ଚୀନ ସହ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ସେପ୍ଟେମ୍ବର ୨୦୨୬ ରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସୀମା ଶାନ୍ତି ପାଇଁ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହା ପୂର୍ବରୁ ଅଗଷ୍ଟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ବେଜିଂ ଗସ୍ତ କରି ସୀମା ମାମଲାରେ ସମାଧାନ ପାଇଁ ଆଲୋଚନା କରିଥିଲେ। ଏଭଳି ସ୍ଥିତିରେ ITBP ମହାନିର୍ଦ୍ଦେଶକଙ୍କ ବୟାନ ଏବେ ବଡ ଚର୍ଚ୍ଚା ସୃଷ୍ଟି କରିଛି।ITBP ମୁଖ୍ୟଙ୍କ ବୟାନକୁ ନେଇ ରାଜନୀତି ମଧ୍ୟ ତେଜିଛି । କଂଗ୍ରେସ ସାଂସଦ ଜୟରାମ ରମେଶ ସୋସିଆଲ୍ ମିଡିଆରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କର ଅଭିଯୋଗ, ଅରୁଣାଚଳ ପ୍ରଦେଶରେ ସୀମା ସ୍ଥିତିକୁ ନେଇ ଗୁରୁତର ପ୍ରଶ୍ନ ଉଠୁଥିବା ବେଳେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଉତ୍ତର ମିଳୁନାହିଁ ।

ଅଧିକ ପଢନ୍ତୁ