‘ଏକ ଭାରତ ଶ୍ରେଷ୍ଠ ଭାରତ’ ଗଠନ ଦିଗରେ ନିଜର ଯୋଗଦାନ ଦେବାକୁ ଯୁବପିଢୀଙ୍କୁ ଆହ୍ୱାନ ଦେଲେ କ୍ରୀଡ଼ା ମନ୍ତ୍ରୀ । ରାଜଧାନୀ ଭୁବନେଶ୍ବରରେ ପାଳିତ ହୋଇଛି ‘ରାଷ୍ଟ୍ରୀୟ ଏକତା ଦିବସ’ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ବିଶାଳ ପଦଯାତ୍ରା । କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ଓ ଏକତା ପଦଯାତ୍ରାର ଆୟୋଜନ କରାଯାଉଛି। ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣିତ ହେବା ସହ ଦେଶର ଏକତା ଓ ସଂହତିକୁ ବଜାୟ ରଖିବା। ଦେଶର ବିକାଶ ନିମନ୍ତେ କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ ହେବା।
