ପ୍ରଦର୍ଶନ ନାଁରେ ରାସ୍ତା ଦଖଲ ମନା, କଡ଼ା ମନ୍ତବ୍ୟ ଦେଲେ ସୁପ୍ରିମକୋର୍ଟ

ପ୍ରଦର୍ଶନ ନାଁରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା କିମ୍ବା ସର୍ବସାଧାରଣ ସ୍ଥାନ ଦଖଲ କରିହେବ ନାହିଁ । କେନ୍ଦ୍ରୀୟ ଦିଲ୍ଲୀରେ ପ୍ରତିବାଦକୁ ନେଇ ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ । ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ରହିଛି, କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଓ ସମୟ ଧାର୍ଯ୍ୟ ହେବା ଆବଶ୍ୟକ ବୋଲି କହିଛନ୍ତି ସିଜେଆଇ ସୂର୍ଯ୍ୟକାନ୍ତ ।ଆନ୍ଦୋଳନ ଯୋଗୁ ଦୋକାନ ବଜାର ବନ୍ଦ ରହିବାରୁ କୋଟି କୋଟି ଟଙ୍କା ବ୍ୟବସାୟିକ କ୍ଷତି ହୋଇଥିଲା। ଏନେଇ ବାଣିଜ୍ୟ ସଂଗଠନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ମଙ୍ଗଳବାର ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ ସମେତ ପ୍ରଶାସନ ପକ୍ଷରୁ ଉତ୍ତର ମାଗିଛନ୍ତି।ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ସମେତ ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି ମୋହନା ମାମଲାର ଶୁଣାଣି କରିଥିଲେ। ଘଟଣାରେ ଅନ୍ୟମାନଙ୍କୁ ମଧ୍ୟ ନିଜ ପକ୍ଷ ରଖିବାରୁ ସୁଯୋଗ ମିଳିବା ଉଚିତ ବୋଲି ଖଣ୍ଡପୀଠ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ଆନ୍ଦୋଳନ ବେଳେ ପୁଲିସର ବର୍ବରତା, ଦିଲ୍ଲୀ ମେଟ୍ରୋ ବନ୍ଦ କରିବା ଏବଂ ଇଣ୍ଟରନେଟ୍ ବନ୍ଦ କରିବା ଆଦି ମାମଲା ଉଠିଥିଲା। ତେବେ ଜୀବନ ଜୀବିକ ସହ ଆନ୍ଦୋଳନକୁ ବାଲାନ୍ସ କରିବା ନେବା ଉଚିତ ବୋଲି କୋର୍ଟ କହିଥିଲେ।ଏହାସହ ଦୋକାନୀ ଓ ରାସ୍ତାକଡ଼ର ଉଠା ବ୍ୟବସାୟୀଙ୍କ ଜୀବିକା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ସିଜେଆଇ । ପ୍ରତିବାଦ ପାଇଁ ଏଭଳି ସ୍ଥାନ ଚିହ୍ନଟ ହେବା ଦରକାର, ଯାହାଦ୍ୱାରା ଗରିବ ବ୍ୟବସାୟୀଙ୍କ ରୋଜଗାର ପ୍ରଭାବିତ ହେବ ନାହିଁ । ଏବେ ପ୍ରତିବାଦ ଓ ସାଧାରଣ ଜନଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ରହିଛି ।

ଅଧିକ ପଢନ୍ତୁ