ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ହେଲେ ଧରାପଡ଼ିବା ଭୟରେ ଖସିଯିବାକୁ ଆପଣାଇଲେ ଅଜବ ଉପାୟ । ଲାଞ୍ଚ ଟଙ୍କା ସହ ନିକଟସ୍ଥ ପୋଖରୀକୁ ଡେଇଁ ପଡ଼ିଲେ ପୋଲିସ ସବ୍-ଇନ୍ସପେକ୍ଟର ।ଭିଜିଲାନ୍ସ ଟିମ୍ ମଧ୍ୟ ପୋଖରୀକୁ ଡେଇଁ ତାଙ୍କୁ କାବୁ କରିଥିଲେ । ଏଭଳି ଏକ ଘଟଣା ସମ୍ବଲପୁର ଜିଲାର ମହୁଲପାଲି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ।ସୂଚନା ଅନୁସାରେ, ମହୁଲପାଲି ଥାନାରେ ସବ୍-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ସୁଜିତ କୁମାର ମହାନ୍ତ ଏକ ମାମଲାର ସମାଧାନ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ପାଇଁ ଯୋଜନା କରିଥିଲା । ଯୋଜନା ମୁତାବକ, ସେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ସେଠାରେ ପହଞ୍ଚିଥିଲା ।ଭିଜିଲାନ୍ସ ଟିମ୍କୁ ଦେଖି ସେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ପିଛା କରିଥିଲେ । ଧରାପଡ଼ିବା ଭୟରେ SI ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ । ତେବେ ଭିଜିଲାନ୍ସ ଟିମ୍ର ଜଣେ ସଦସ୍ୟ ମଧ୍ୟ ପୋଖରୀକୁ ଡେଇଁ ପହଁରି ପହଁରି ତାଙ୍କୁ କାବୁ କରିଥିଲେ । ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।ଟ୍ରାପ୍ ପରେ ଆୟବହିର୍ଭୂତ ସମ୍ପତ୍ତି (DA) ଦିଗରୁ ମଧ୍ୟ ଭିଜିଲାନ୍ସ ପକ୍ଷରୁ ତାଙ୍କ ବିଭିନ୍ନ ଠିକଣାରେ ଯାଞ୍ଚ ଚାଲିଛି । ଏହି ଯାଞ୍ଚ ସମୟରେ ଥାନା ପରିସରରେ ଥିବା ତାଙ୍କ ବିଶ୍ରାମ କକ୍ଷରୁ ଆଉ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ଜବତ ହୋଇଛି । ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୧/୨୦୨୬ରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି ।
