ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍

ବାତ୍ୟା ଅର୍ଣ୍ଣବ ଓ ତା ପରବର୍ତ୍ତୀ ବନ୍ୟା ଯୋଗୁ ରାଜ୍ୟରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଆକଳନ କରିବା ପାଇଁ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ୍‌ ଆଜି ଲୋକସେବା ଭବନରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ରବିଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବନ୍ୟା, ବାତ୍ୟା  ଓ ଗ୍ରୀଷ୍ମ ପ୍ରବାହ ପରି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଆସୁଛି। ଏହାଦ୍ୱାରା ରାଜ୍ୟର ବିକାଶ କାମ ବାଧାପ୍ରାପ୍ତ ହେଉଛି। ତେଣୁ, କେନ୍ଦ୍ରୀୟ ଟିମ୍ ତାଙ୍କ ରିପୋର୍ଟରେ ତତ୍କାଳ ରିଲିଫ ଓ ପୁନନିର୍ମାଣ ପାଇଁ ସହାୟତା ସହିତ ଏହାର ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବାତ୍ୟା ଓ ବନ୍ୟା ପ୍ରତିରୋଧୀ ଭିତ୍ତିଭୂମିର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏହାଦ୍ୱାରା ଓଡିଶାର ଲୋକମାନେ ସ୍ଥାୟୀ ସମାଧାନ ପାଇ ପାରିବେ ଏବଂ ରାଜ୍ୟର ବିକାଶ ବାଧାପ୍ରାପ୍ତ ନହୋଇ ତ୍ୱରାନ୍ୱିତ  ହେବ।ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କ୍ଷୟକ୍ଷତି ଓ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ଅଧିକ ପଢନ୍ତୁ