ହକି ଇଣ୍ଡିଆର ନିର୍ବାଚନ ପ୍ରକ୍ରିୟା ଉପରେ ରହିତାଦେଶ । ରହିତାଦେଶ ଜାରି କଲେ ଓଡିଶା ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରହିତାଦେଶ ଜାରି ।ଏଥିସହ ହକି ଓଡ଼ିଶାର ସ୍ଥାୟୀ ସଦସ୍ୟତା ରଦ୍ଦ କରି ଆସୋସିଏଟ୍ ମେମ୍ବର ଭାବେ ଗ୍ରହଣ କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି ଅଦାଲତ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ରହିତାଦେଶ ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି, ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।ହାଇକୋର୍ଟରେ ଆଜି ଶୁଣାଣି ସମୟରେ ହକି ଓଡ଼ିଶା ପକ୍ଷରୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ହକିର ପ୍ରଚାର, ପ୍ରସାର ଓ ବିକାଶ କ୍ଷେତ୍ରରେ ଓଡ଼ିଶାର ଅବଦାନକୁ ଉଲ୍ଲେଖ କରିଥିଲେ ଆଇନଜୀବୀ। ଓଡ଼ିଶା ସରକାରଙ୍କ ଉଦ୍ୟୋଗ ଓଡ଼ିଶା ମାଇନିଂ କର୍ପୋରେସନ୍ ହକିର ପ୍ରମୋସନ୍ ପାଇଁ ଗତ ତିନି ବର୍ଷ ମଧ୍ୟରେ ସର୍ବଭାରତୀୟ ସ୍ତରରେ ପ୍ରାୟ ୧୦୫ କୋଟି ଟଙ୍କା ଯୋଗାଇ ଦେଇଥିବା ଯୁକ୍ତି ରଖାଯାଇଥିଲା ।ଶୁଣାଣି ସମୟରେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଭାରତ ସରକାରଙ୍କ ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ (NSG) ଆଇନର ବିଭିନ୍ନ ବ୍ୟବସ୍ଥା ଉଲ୍ଲେଖ କରି ଓଡ଼ିଶା ହକି ସଂଘକୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବା ଆଇନବିରୋଧୀ ବୋଲି ଯୁକ୍ତଉପସ୍ଥାପନ କରିଥିଲେ। ଭାରତୀୟ ହକିର ବିକାଶ ଓ ପ୍ରସାରରେ ଓଡ଼ିଶାର ଅବଦାନକୁ ମଧ୍ୟ ହାଇକୋର୍ଟଙ୍କ ଦୃଷ୍ଟିକୁ ଅଣାଯାଇଥିଲା।ଭାରତରେ ହକିର ଉନ୍ନତି, ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ଖଣି ନିଗମ (ଓଏମ୍ ସି) ହକି ଇଣ୍ଡିଆକୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହଯୋଗ ଯୋଗାଇ ଦେଇଛି। ଏହାବ୍ୟତୀତ ଭାରତୀୟ ହକିକୁ ଓଡ଼ିଶା ଅନେକ ପ୍ରତିଭାବାନ ଖେଳାଳି ମଧ୍ୟ ଦେଇଛି। ଭାରତୀୟ ହକିର ବିକାଶରେ ଓଡ଼ିଶାର ଅବଦାନ ଓ ରାଜ୍ୟ ହକି ସଂଘର ଭୂମିକାକୁ ନେଇ ମଧ୍ୟ ଯୁକ୍ତି ରଖାଯାଇଥିଲା। ତେବେ ହାଇକୋର୍ଟଙ୍କ ଏହି ଅନ୍ତରୀଣ ନିର୍ଦ୍ଦେଶ ଫଳରେ ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ଉପରେ ରୋକ୍ ଲାଗିଛି। ଡିସେମ୍ବର ୯ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର।
