ଗାନ୍ଧୀ ପରିବାରକୁ ନେଇ ବିବାଦୀୟ ପୋଷ୍ଟ ! କଙ୍ଗନାଙ୍କ ନାଁରେ FIR

କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ପୁସ୍ତକ ଉନ୍ମୋଚନ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଭାଜପା ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ହିମାଚଳ ପ୍ରଦେଶର ଶିମଲାରେ ଏକ FIR ରୁଜୁ ହୋଇଛି । ଗାନ୍ଧୀ ପରିବାରକୁ ନେଇ ସୋସିଆଲ ମିଡିଆରେ କଥିତ ଭାବେ ଉତ୍ତେଜନାମୂଳକ ପୋଷ୍ଟ କରିଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି ।ଅଭିଯୋଗ ଅନୁସାରେ, ନଭେମ୍ବର ୧୦ ତାରିଖରେ କଙ୍ଗନା ନିଜର ଯାଞ୍ଚ ହୋଇଥିବା ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ସଞ୍ଜୟ ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନାମୂଳକ ମନ୍ତବ୍ୟ ଥିବା ଅଭିଯୋଗ ହୋଇଛି । ଏପରିକି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ନେଇ ମଧ୍ୟ ପୋଷ୍ଟରେ ବିବାଦୀୟ ଦାବି କରାଯାଇଥିବା ଅଭିଯୋଗ ରହିଛି । ସେହିପରି ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ମେନକା ଗାନ୍ଧୀଙ୍କୁ ପାରିବାରିକ ବାସଭବନରୁ ବାହାର କରିଦିଆଯାଇଥିବା ନେଇ ମଧ୍ୟ ପୋଷ୍ଟରେ ଉଲ୍ଲେଖ ଥିବା ଅଭିଯୋଗକାରୀ କହିଛନ୍ତି ।ଏହି ପୋଷ୍ଟଗୁଡ଼ିକ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଶତ୍ରୁତା ଓ ଅସନ୍ତୋଷ ସୃଷ୍ଟି ହେବା ସହ ସାର୍ବଜନୀନ ଶାନ୍ତି ଭଙ୍ଗ ହେବାର ଆଶଙ୍କା ରହିଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି । ଏଥିସହ ଭୟ ଓ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଥ୍ୟା ସୂଚନା ପ୍ରସାର କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।ଏହା ପୂର୍ବରୁ ଅଭିଯୋଗକାରୀ ଅତୁଲ ଶର୍ମା ପୋଲିସ ମହାନିର୍ଦ୍ଦେଶକଙ୍କୁ ଇମେଲ୍‌ ଯୋଗେ ଅଭିଯୋଗ ପଠାଇ କଙ୍ଗନାଙ୍କ ବିରୋଧରେ ତୁରନ୍ତ FIR ରୁଜୁ କରିବା ସହ ସାଇବର ଫରେନ୍ସିକ୍‌ ଯାଞ୍ଚ କରିବାକୁ ଦାବି କରିଥିଲେ । ଏବେ ଏହି ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିବ ।

ଅଧିକ ପଢନ୍ତୁ