ବରଗଡ଼ ଧନୁଯାତ୍ରା କଂସ ଚୟନ ପାଇଁ ସରିଲା ଅଫ୍‌ଲାଇନ ଆବେଦନ

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୯ତମ ସଂସ୍କରଣ ପାଇଁ ମଥୁରାଧିପତି କଂସ କଳାକାର ଚୟନ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଯାଇଛି । ମାତ୍ର ନୂଆ କଂସ କଳାକାର ଚୟନ ଅବଶ୍ୟମ୍ଭାବୀ ଥିବାରୁ ଆଜି ଶେଷ ମୁହୂର୍ତ୍ତରେ ପଶ୍ଚିମ ଓଡ଼ିଶାର ନାମକରା କଳାକରାମାନେ ଆବେଦନ କରିବା ପରେ ସମସ୍ତ ପ୍ରକାର କଳ୍ପନା ଜଳ୍ପନା ଓ ସଂଶୟ ଦୂର ହୋଇଥିଲେ ମଧ୍ୟ ସୁପର କଂସ ଭାବେ ଖ୍ୟାତ କଳାକାରମାନଙ୍କ ଅନୁପସ୍ଥିତି ଯାତ୍ରାପ୍ରେମୀମାନଙ୍କୁ ଦୁଃଖି କରିଦେଇଛି । ତଥାପି ଆବେଦକମାନଙ୍କ ମଧ୍ୟରେ ଭଲ ଅଭିନୟ କରିବା ସହିତ ଉଚ୍ଚମାନର ସଂଳାପ କହିବା ଭଳି କଳାକାରମାନେ ସାମିଲ ଥିବାରୁ ଆଗାମୀ ଜାନୁଆରୀ ୧୨ରୁ ମୂଳ ହେବାକୁ ଥିବା ୭୯ତମ ଯାତ୍ରାକୁ ନେଇ ଉତ୍କଣ୍ଠା ବୃଦ୍ଧି ପାଇଛି । ଆବେଦନ ପ୍ରକ୍ରିୟା ୧୫ ନଭେମ୍ବରରେ ସମାପ୍ତ ହେବ ବୋଲି କମିଟି ତରଫରୁ ଘୋଷଣା କରାଯାଇଥିଲା । ଛୁଟିଦିନ ବ୍ୟତୀତ ବାକି ଦିନମାନଙ୍କରେ ଆବେଦନ କରିବାକୁ କଳାକାରଙ୍କୁ କୁହାଯାଇଥିବା ବେଳେ ଆସନ୍ତା ଦୁଇଦିନ ସରକାରୀ ଛୁଟି ଥିବାରୁ ଆବେଦନ ଶଙ୍କା ଭିତରକୁ ଠେଲି ହୋଇଯାଇଛି । ଏନେଇ ସଂସ୍କୃତି ବିଭାଗର ଦାୟିତ୍ୱରେ ଥିବା ଜିଲ୍ଲା ଟୁରିଷ୍ଟ ଅଫିସର ଆଶିଷ ସୁନାଙ୍କୁ ପଚାରିବା ପରେ ଆଜି ଶୁକ୍ରବାର ଦିନ ଅଫଲାଇନ ଆବେଦନ ପ୍ରକ୍ରିୟା ଶେଷ ହୋଇଯାଇଥିବା ବେଳେ ପରବର୍ତ୍ତୀ ଦୁଇଦିନ ଛୁଟି ଥିବାରୁ କେବଳ ଅନଲାଇନ ଆବେଦନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଥିଲେ ।

ଅଧିକ ପଢନ୍ତୁ