ଆସୁଛି ଅକଭାନ୍, ଗଞ୍ଜାମରେ ଜୋରଦାର ପ୍ରସ୍ତୁତି

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ। ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବା ସହ ୧୭ ତାରିଖ ସା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶ ଓ ୟାନାମ୍‌ ଉପକୂଳରେ ନେଲୋର ଓ ଟୁନି ମଧ୍ୟରେ ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଅତିକ୍ରମ କରିପାରେ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ଏବଂ ଝଟକା ପବନର ବେଗ ୧୪୫ କିମି ରହିବା ସମ୍ଭାବନା ରହିଛି।ବାତ୍ୟା ପ୍ରଭାବରେ ୧୮ରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ବି ବର୍ଷା ସମ୍ଭାବନା ଅଛି। ବାତ୍ୟାର ବାହ୍ୟବଳୟରେ ଆସୁଥିବା ଅଞ୍ଚଳରେ ବର୍ଷା ହେବ ।ସମ୍ଭାବ୍ୟ ବାତ୍ୟା ଅକଭାନ୍‌ ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ୭୦୦ ସ୍ଥାନରୁ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ କରାଯାଇଛି । ଆଜିଠୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ଆଜି ଗଞ୍ଜାମ ଜିଲ୍ଲାକୁ ୧୨ ଓଡ୍ରାଫ ଓ ୩ ଏନଡିଆରଏଫ ଟିମ୍ ଆସିବେ । ବାତ୍ୟାର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ବ୍ଲକ ସ୍ତରରେ ଆଗୁଆ ପ୍ରସ୍ତୁତି ପାଇଁ ବ୍ଲକ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ