ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ

ବିଧାନ ସଭାର ଶୀତ ଅଧିବେଶନ ପୂର୍ବରୁ ଆଜି ସନ୍ଧ୍ୟାରେ ଶଙ୍ଖ ଭବନଠାରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବିଜେଡି ବିଧାୟକ ମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ ଡବଲ ଇଞ୍ଜିନ ସରକାରର ଅପାରଗତାର ତୀବ୍ର ସମାଲୋଚନା କରିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ, ସଂପ୍ରତି ଗଞ୍ଜାମର ମନୁଷ୍ୟକୃତ ବନ୍ୟା ଓଡିଶାର ଛବିକୁ ଦେଶ ବିଦେଶରେ ମଳିନ କରିଛି । ଗଞ୍ଜାମରେ ଘଟିଯାଇଥିବା ବିପର୍ଯୟ ରାଜ୍ୟ ସରକାରଙ୍କ ଅପାରଗତାର ସର୍ବୋତ୍‌କୃଷ୍ଟ ଉଦାହରଣ । ଗଞ୍ଜାମର ଜନସାଧାରଣ ଏବେ ବି ରିଲିଫ ସହାୟତା ପାଇବାରେ ହଇରାଣ ହେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ। । କୋଟିଆ ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଉଭୟ ଆନ୍ଧ୍ର ଓ ଓଡିଶାରେ NDA ର ସରକାର ଥିବା ବେଳେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଘଟଣାକୁ ଜଟିଳ କରି ଦେଉଛି । ଓଡିଶାର ଅଖଣ୍ଡତାର ସୁରକ୍ଷା ପାଇଁ ବିଜେଡି ତାର ଲଢେଇ ଜାରୀ ରଖିବ ।

ଚାଷୀଙ୍କ ସମସ୍ୟା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଦାୟୀତ୍ୱ ନେବା ଠାରୁ ଚାଷ ଓ ଚାଷୀ ଉଭୟ ଅବହେଳିତ ହୋଇ ଆସୁଛନ୍ତି । ମଣ୍ଡି ଠିକ୍‌ ସମୟରେ ଖୋଲୁନି । ଧାନ ସଂଗ୍ରହ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । Food Corporation of India ଓଡିଶାରୁ ଧାନ ଉଠାଉ ନାହିଁ । ଏ ସବୁ ସମସ୍ୟା ଦ୍ୱାରା ଚାଷୀର ସମସ୍ୟା ଦିନକୁ ଦିନ ଜଟିଳ ହୋଇଯାଉଛି । ତେଣୁ ବିଜେଡି ଚାଷୀର କଲ୍ୟାଣ ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ ।

ଅଧିକ ପଢନ୍ତୁ