କାର୍ତ୍ତିକ ପଞ୍ଚୁକରେ ସମର୍ପଣ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ତୀର୍ଥଯାତ୍ରା; ରଘୁନାଥ ଓ ଲଡୁବାବାଙ୍କୁ ଦର୍ଶନ କଲେ ବୟୋଜ୍ୟେଷ୍ଠ

ନୟାଗଡ଼,(ଓଡ଼ିଶା ଦର୍ପଣ): ପବିତ୍ର କାର୍ତ୍ତିକ ପଞ୍ଚୁକ ବ୍ରତର ଦ୍ୱିତୀୟ ଦିବସରେ ନୟାଗଡ଼ସ୍ଥିତ ‘ସମର୍ପଣ’ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ନେଇ ଏକ ଆଧ୍ୟାତ୍ମିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣ ବୃଦ୍ଧାଶ୍ରମ ପରିଚାଳନା କମିଟିର ସଭାପତି ତଥା ନୟାଗଡ଼ ଜିଲ୍ଲାପାଳଙ୍କ ପରାମର୍ଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତେବାସୀମାନେ ଓଡ଼ଗାଁର ଶ୍ରୀରଘୁନାଥ ମନ୍ଦିର ଓ ଶରଣକୂଳର ଶ୍ରୀଲଡୁବାବା ମନ୍ଦିର ଦର୍ଶନ କରି ବେଶ୍ ଆନନ୍ଦିତ ହୋଇଛନ୍ତି।
ସମର୍ପଣର ସମ୍ପାଦକ ତଥା ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଯାତ୍ରାରେ ପରିଚାଳନା କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ମିହିର ରଂଜନ ନାୟକ ଏବଂ ରୋଟାରୀ କ୍ଲବ୍ ସଭାପତି ବାସୁଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ନୟାଗଡ଼ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପୂର୍ଣ୍ଣ ସହଯୋଗରେ ଏହି ପବିତ୍ର କାର୍ଯ୍ୟକ୍ରମ ଅତ୍ୟନ୍ତ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।


କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ସ୍କାଉଟ୍ ଛାତ୍ରମାନେ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ବନ୍ଦାପନା ପୂର୍ବକ ସ୍ୱାଗତ କରିଥିଲେ। ଯାତ୍ରା ସମୟରେ ଛାତ୍ରମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ବୟୋଜ୍ୟେଷ୍ଠମାନଙ୍କ ହାତ ଧରି ଗାଡ଼ିରେ ଚଢ଼ାଇବାଠାରୁ ଆରମ୍ଭ କରି ମନ୍ଦିର ପାହାଚ ଚଢ଼ିବା ଓ ଠାକୁର ଦର୍ଶନ କରାଇବା ପର୍ଯ୍ୟନ୍ତ ସମସ୍ତ ସହାୟତା ଯୋଗାଇ ଦେଇଥିଲେ।
ପଞ୍ଚୁକ ଅବସରରେ ମନ୍ଦିରଗୁଡ଼ିକରେ ପ୍ରବଳ ଜନସମାଗମ ସତ୍ତ୍ୱେ ଓଡ଼ଗାଁ ଶ୍ରୀରଘୁନାଥ ମନ୍ଦିର ଓ ଶରଣକୂଳ ଲଡୁବାବା ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଅନ୍ତେବାସୀମାନଙ୍କୁ ଶୃଙ୍ଖଳିତ ଭାବେ ଦେବଦର୍ଶନ କରାଇଥିବାରୁ ଆଶ୍ରମ ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।


ଏହି ନିଆରା ପ୍ରୟାସ ଫଳରେ ଗୋଟିଏ ପଟେ ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ସେବା କରିବାର ସୌଭାଗ୍ୟ ଲାଭ କରିଥିବା ବେଳେ ଅନ୍ୟପଟେ ଅନ୍ତେବାସୀମାନେ ନିଜ ନାତିନାତୁଣୀଙ୍କ ସ୍ନେହ ପାଇବା ସହ ମନର ଦୁଃଖକୁ ଲାଘବ କରିବାର ସୁଯୋଗ ପାଇଥିଲେ। ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଦିଗରେ ସମର୍ପଣର ଏଭଳି ପଦକ୍ଷେପକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

ଅଧିକ ପଢନ୍ତୁ