ତାତି ଆହୁରି ବଢ଼ିବ । ତାତି ୪୫ ଡିଗ୍ରି ସେଲସିୟସ ଛୁଇଁବ । ପଶ୍ଚିମ ଓଡ଼ିଶାରେ ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଟିଟିଲାଗଡ଼ ପାଲଟିଲାଣି ତତଲାଗଡ଼ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୧୮ ତାରିଖରେ ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ବଲାଙ୍ଗୀର, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୪ ଡିଗ୍ରୀ, ସୋନପୁର, ନୂଆପଡ଼ା, ବୌଦ୍ଧ ଓ ବରଗଡ଼ରେ ୪୩ ଡିଗ୍ରୀ ରହିପାରେ । ୨୨ ତାରିଖ ଯାଏ ନିସ୍ତାର ନାହିଁ । ବିଭିନ୍ନ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ ।ଆଗାମୀ ସପ୍ତାହ ପାଇଁ ଉପକୂଳ ଜିଲ୍ଲା ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ବର ଓ ପୁରୀରେ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ସେଲସିୟସ ଯାଏ ରହିବ । ଉପକୂଳରେ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅସହ୍ୟ ହେବ ।ସେହିଭଳି ରାଜ୍ୟର ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ୨୧ ତାରିଖ ଯାଏ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ ଗଜପତିରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।
