ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ମୋ ପୁତୁରାଙ୍କ ନାଁ ଆସୁଥିଲା, ପୋଲିସ ତାଙ୍କୁ ଗିରଫ କରିଛି। ଆଇନ୍ ଉପରେ କେହି ନୁହଁନ୍ତି, ଆଇନ ତା ବାଟରେ ଯାଇଛି। ପୂର୍ବ ସରକାରରେ ମମିତା ମେହେରେ ଏବଂ ମାହାଙ୍ଗା ଡବଲ ମର୍ଡର କଥା ଉଠାଇ ମନ୍ତ୍ରୀ କହିଛନ୍ତି , ମମିତା ମେହେର ମାମଲାରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗିରଫ ହୋଇନଥିଲେ । ମାହାଙ୍ଗା ଡବଲ ମର୍ଡରରେ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନଥିଲା । ଆଇନର ଉପରେ କେହି ନୁହଁନ୍ତି, ଆଇନ ତା ବାଟରେ ଯାଇଛି । ଆମ ସରକାର ଘଣ୍ଟ ଘୋଡାଇବା ସରକାର ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ।ସୂଚନା ଯୋଗ୍ୟ, ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମନ୍ତ୍ରୀଙ୍କ ପୁତୁରାଙ୍କ ସମ୍ପୃକ୍ତି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗୋଳନ୍ଥରା ପୋଲିସ ଏକ ମାମଲା(ନଂ.୨୨୬/୨୬) ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା ବିଶ୍ୱଜିତ୍ ଜେନାଙ୍କୁ ଗିରଫ କରିଛି।
