
ନୟାଗଡ଼, (ଓଡ଼ିଶା ଦର୍ପଣ):ବାରମ୍ବାର ଦାବି ସତ୍ତ୍ୱେ ଇଟାମାଟି-ଚମ୍ପତିପୁର ଠାରେ ଏକ ପାସେଞ୍ଜର ରେଳ ହାଲ୍ଟ ନିର୍ମାଣ ଦିଗରେ ରେଳ ବିଭାଗର ଉଦାସୀନତା ଓ ଅବହେଳା ବିରୋଧରେ ବାଲୁଙ୍କେଶ୍ୱର ରେଳ ସଂଗ୍ରାମ ସମିତି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।
ଦୀର୍ଘ ଦଶ ବର୍ଷ ଧରି ସମିତି ପକ୍ଷରୁ ରାସ୍ତାରୋକ, ରେଳରୋକ ଭଳି ବିଭିନ୍ନ ଗଣଆନ୍ଦୋଳନ କରାଯିବା ସହ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଏପରିକି ୧୦,୦୦୦ ଜନସାଧାରଣଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲେ ହେଁ, ରେଳ ବିଭାଗ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ।
ଏହି କ୍ରମରେ ଆଜି ବାଲୁଙ୍କେଶ୍ୱର ରେଳ ସଂଗ୍ରାମ ସମିତିର ସଭାପତି ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଆଜି ବାଲୁଙ୍କେଶ୍ୱର ରିଳୁ ଏ ସଂଗ୍ରାମ ସମିତି ର ସଭାପତି ମନୋଜ କୁମାର ସାହୁ ନେତୃତ୍ୱ ଏକ ଟିମ ଉମେଶ ଚନ୍ଦ୍ର ପଟ୍ଟନାୟକ ନିରଞ୍ଜନ ସାଥୁଆ, ଗଙ୍ଗାଧର ନିଶଙ୍କ ଓ ବିଶ୍ୱନାଥ ବରାଡ଼ ପ୍ରମୁଖ ଭୁବନେଶ୍ୱରସ୍ଥିତ ରେଳ ସଦନ ଏବଂ ଖୋର୍ଦ୍ଧା ରୋଡ୍ ଡିଭିଜନ କାର୍ଯ୍ୟାଳୟକୁ ଯାଇ ଡିଭିଜନସ୍ ମ୍ୟାନେଜର (DRM) ଏବଂ ମହାପ୍ରବନ୍ଧକ (GM)ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସମିତି ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଆଗାମୀ ୧୫ ଦିନ ମଧ୍ୟରେ ଯଦି ପାସେଞ୍ଜର ହାଲ୍ଟ ସ୍ଥାପନ ନେଇ କୌଣସି ପଦକ୍ଷେପ ନ ନିଆଯାଏ, ତେବେ ନୟାଗଡ଼ ଷ୍ଟେସନରେ ବାଧ୍ୟ ହୋଇ ପୁଣିଥରେ ବ୍ୟାପକ ରେଳରୋକ କରାଯିବ।
ଏହି ଆନ୍ଦୋଳନକୁ ବହୁ ସ୍ଥାନୀୟ ଜନପ୍ରତିନିଧି ଓ ସଂଗଠନ ଲିଖିତ ଭାବେ ସମର୍ଥନ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ଇଟାମାଟି, ଚମ୍ପତିପୁର, ନାଟୁଗାଁ, ଲାଠିପଡ଼ା, ଗୁଣ୍ଠୁଣି, ପଣ୍ଡୁସର, ଗମ୍ଭାରିଡିହି, ଇକିରି, ଯେମାଦେଇପୁରର ସରପଞ୍ଚ ଏବଂ ଶାଳଝରିଆର ସମିତି ସଭ୍ୟ ପ୍ରମୁଖ ରହିଛନ୍ତି।
ଏହାସହ ‘ଯଦୁମଣି ବରିଷ୍ଠ ନାଗରିକ ମଞ୍ଚ (ଇଟାମାଟି)’, ପୂର୍ବତନ ସମିତି ସଭ୍ୟ ପ୍ରଦୀପ୍ତ ସାହୁ, ବଣିକ ସଂଘ ଇଟାମାଟିର ସଭାପତି ସୁରେନ୍ଦ୍ର ସାହୁ, ପୂର୍ବତନ ବଣିକ ସଂଘ ସଭାପତି କିଶୋର ଚନ୍ଦ୍ର ନାୟକଙ୍କ ସମେତ ଶହ ଶହ ଜନସାଧାରଣ ଏହି ଦାବି ପ୍ରତି ସମର୍ଥନ ଜଣାଇଛନ୍ତି। ରେଳ ବିଭାଗ ଆଗାମୀ ଦିନରେ ଏନେଇ କି ପଦକ୍ଷେପ ନେଉଛି, ତାହା ଉପରେ ସମଗ୍ର ଅଞ୍ଚଳବାସୀଙ୍କ ନଜର ରହିଛି।
