ଏନଏସି ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ସ୍ୱାଗତ ଓ ବିଦାୟୀ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟରେ ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ପଦୋନ୍ନତି ପାଇ ଯୋଗ ଦେଇଥିବା ନୂତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କୁ ବିଦ୍ୟାଳୟ ପରିବାର ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସେହିପରି, ଏହି ବିଦ୍ୟାଳୟରୁ ପଦୋନ୍ନତି ପାଇ ଅନ୍ୟତ୍ର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିବା ଦୁଇ ଶିକ୍ଷୟିତ୍ରୀ ରସିଦା ଖାତୁନ ଏବଂ ପୂର୍ଣ୍ଣିମା ତ୍ରିପାଠୀଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
ନୂତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାକୁ ଶିକ୍ଷକ ଲକ୍ଷ୍ମୀଧର ସାହୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ନୂତନ ପ୍ରଧାନ ଶିକ୍ଷକ ଓ ବିଦାୟୀ ଶିକ୍ଷୟିତ୍ରୀ ଦ୍ୱୟଙ୍କୁ ମାନପତ୍ର, ଉପଢୌକନ, ଫୁଲକୁଣ୍ଡ ଏବଂ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ବିଦାୟ ସଙ୍ଗୀତ ଗାନ କରାଯାଇଥିଲା। ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ନୂତନ ପ୍ରଧାନ ଶିକ୍ଷକଙ୍କୁ ସ୍ୱାଗତ କରିବା ସହ ବିଦାୟୀ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକାଳର ସ୍ମୃତିଚାରଣ କରିଥିଲେ।
କାର୍ଯ୍ୟକ୍ରମର ଶେଷରେ ନୂତନ ପ୍ରଧାନ ଶିକ୍ଷକ ଏବଂ ବିଦାୟୀ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଶିକ୍ଷକ ଶିକ୍ଷୟିତ୍ରୀ ରୋଜାଲିନ ମିଶ୍ର, ଭବାନୀ କୁମାରୀ ଆଚାର୍ଯ୍ୟ, ରୋଜାଲିନ ମିଶ୍ର, ନବଜ୍ୟୋତି ମହାପାତ୍ର, ସୁନିତା ନାୟକ, ଇଲାଚା ମାଝୀ, ଉମାକାନ୍ତ ମିଶ୍ର,ରାଜକିଶୋର ଟୁଡୁ ଓ ଅଶୋକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ କାଦମ୍ବିନୀ କରଣ ଧନ୍ୟବାଦ ପ୍ରଦାନ କରିଥିଲେ।

ଅଧିକ ପଢନ୍ତୁ