ନବମ ଓ ଦଶମ ଶ୍ରେଣୀ ଛାତଛାତ୍ରୀଙ୍କୁ ମିଳିବ କ୍ୟାରିୟର ଗାଇଡାନ୍ସ। ପାଠପଢା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ସେନେଇ ଦିଆଯିବ ମାର୍ଗଦର୍ଶନ। ଏଥିପାଇଁ ମାସର ପ୍ରତି ପ୍ରଥମ ଓ ତୃତୀୟ ଶନିବାର ଦିଆଯିବ କ୍ୟାରିୟର ଗାଇଡାନ୍ସ। ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏ ସ୍କୁଲରେ ହେବ କ୍ୟାରିୟର ୱେବିନାର। ୟୁପିଏସ୍ସି, ଓପିଏସ୍ସି, ହୋଟେଲ ମ୍ୟାନେଜ୍ମେଣ୍ଟ, ପୁଲିସ, ସାମ୍ବାଦିକତା, କୃଷି, ଅକ୍ଷୟ ଶକ୍ତି, ଧନ୍ଦାମୂଳକ, ସ୍ୱାସ୍ଥ୍ୟ ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ର ପାଇଁ ମାର୍ଗଦର୍ଶନ ଦିଆଯିବ। ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୨୦୨୭ ଯାଏ ଚାଲିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।ଆଜିଠୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଆଜି ପ୍ରଥମ ଦିନରେ ‘ ସେଲଫ୍ ଡିସକଭରି ଆଣ୍ଡ କ୍ୟାରିୟର ପ୍ଲାନିଂ’ ଉପରେ ମାର୍ଗଦର୍ଶନ ଦିଆଯିବ।ଏହା ଲାଇଭ୍ ସେସନ୍ କରାଯିବ। ଆଇସିଟି ଲ୍ୟାବ୍, କମ୍ପ୍ୟୁଟର ଅଫ ଲାଇବ୍ରେରୀ, ଅନ୍ୟ ଡିଜିଟାଲ ଡିଭାଇସ୍ରେ ଏହାକୁ ସଂରକ୍ଷିତ ମଧ୍ୟ ରଖାଯିବ। ପରବର୍ତ୍ତୀ ସମୟରେ ପ୍ରଦାନ କରାଯାଇଥିବା ୟୁଟ୍ୟୁବ୍ ଲିଙ୍କ୍ ଓ ଗୁଗୁଲ୍ ଟ୍ରାକର ହ୍ୱାଟସ୍ଆପ୍ ଗ୍ରୁପରେ ପ୍ରଦାନ କରାଯିବ। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମଧ୍ୟ ବିଭାଗ ସଂଗ୍ରହ କରିବ। ପ୍ରତି ଶ୍ରେଣୀରେ ଜଣେ ଲେଖାଏଁ ଛାତ୍ର ଓ ଛାତ୍ରୀ ପିଲାଙ୍କ ପ୍ରତିନିଧିଭାବେ ରହିବେ। ସେମାନେ ପିଲାଙ୍କ ତରଫରୁ କୌଣସି ସମସ୍ୟା କିମ୍ବା କିଛି ଜାଣିବାକୁ ଥିଲେ ସେମାନେ ଜଣାଇ ପାରିବେ।
