ବସ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆସିଛି ନୂଆ ଅପଡେଟ୍ । ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ସୁପର ପ୍ରିମିୟମ୍ ଫୁଲ୍ ସ୍ଲିପର୍ ଏସି କୋଚ୍ ପାଇଁ ନୂତନ ଭଡ଼ା ନିର୍ଦ୍ଧାରଣ କରାଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏହି ଶ୍ରେଣୀର ବସ୍ରେ ପ୍ରତି କିଲୋମିଟର ପ୍ରତି ଯାତ୍ରୀ (ବର୍ଥ) ପାଇଁ ସର୍ବାଧିକ ୩ ଟଙ୍କା ୫୦ ପଇସା ଭଡ଼ା ଆଦାୟ କରାଯିବ । ରାଜ୍ୟ ଗେଜେଟ୍ରେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହି ନୂଆ ଭଡ଼ା କାର୍ଯ୍ୟକାରୀ ହେବ ।ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ଗଠିତ ବୈଷୟିକ କମିଟିର ସୁପାରିସ ଆଧାରରେ ଏହି ଭଡ଼ା ହାର ଧାର୍ଯ୍ୟ କରାଯାଇଛି । ତେବେ ସାଧାରଣ, ଏକ୍ସପ୍ରେସ୍, ଡିଲକ୍ସ, ଏସି ଏବଂ ବର୍ତ୍ତମାନ ଚାଲୁଥିବା ସୁପର ପ୍ରିମିୟମ୍ ବସ ଭଡାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପୂର୍ବରୁ ଘୋଷିତ ଭଡ଼ା ହିଁ ବଳବତ୍ତର ରହିବ ।ସେହିପରି, ୨୦୨୬ ମସିହା ପାଇଁ ସାମଗ୍ରିକ ବସ୍ ଭଡ଼ା ସଂଶୋଧନ ସମ୍ପର୍କିତ ବୈଷୟିକ କମିଟିର ପରବର୍ତ୍ତୀ ରିପୋର୍ଟ କିମ୍ବା ସରକାରଙ୍କ ନୂତନ ଅଧିସୂଚନା ଆଧାରରେ ଏହି ଭଡ଼ାରେ ଆଗାମୀ ଦିନରେ ପୁଣି ପରିବର୍ତ୍ତନ କରାଯାଇପାରେ.
