ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ୍‌ର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି

ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ୍‌ର ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। ଏହି ଅବସରରେ ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବାଣ୍ଟିଛନ୍ତି ଉପରାଷ୍ଟ୍ରପତି। ଓୟୁଏଟିରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ପ୍ରମୁଖ ଯୋଗ ଦେଇଥିଲେ।ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ପ୍ରାୟ ୭୩, ୮୯୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି କରି ବିଶ୍ୱରେ ଅଗ୍ରଣୀ ସ୍ଥାନ ହାସଲ କରିପାରିଛି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମାଛଧରା କାର୍ଯ୍ୟ ଉପକୂଳର ୪୦-୫୦ ନଟିକାଲ ମାଇଲ ମଧ୍ୟରେ ସୀମିତ ଥିବାବେଳେ ଗଭୀର ସମୁଦ୍ରର ଅନ୍ତର୍ଜାତୀୟ ଜଳସୀମାରେ ଟୁନା ଭଳି ଉଚ୍ଚ-ମୂଲ୍ୟର ମାଛ ଧରିବା ପାଇଁ ଏହି ନୂତନ ନୀତି ବିରାଟ ସୁଯୋଗ ଆଣିଦେବ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣ କ୍ଷେତ୍ରକୁ ସୁଦୃଢ଼ କରିବ। ଏହି ଅବସରରେ ଉପରାଷ୍ଟ୍ରପତି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସଫଳତା ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଡକୁମେଣ୍ଟ (୨୦୨୬-୨୦୩୬)’କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। LoA ଦ୍ବାରା ଯୋଗ୍ୟ ଭାରତୀୟ ଜାହାଜଗୁଡ଼ିକୁ ଦେଶର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର EEZ ବାହାରେ ଥିବା ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଉଚ୍ଚ ମୂଲ୍ୟବାନ ମାଛ ଧରିବା ପାଇଁ ଅନୁମତି ମିଳିପାରିବ ।କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୫୭୫ କିଲୋମିଟର ସୁଦୀର୍ଘ ବେଳାଭୂମିର ମତ୍ସ୍ୟ ସମ୍ପଦର ସୁରକ୍ଷା ପାଇଁ ରହିଛି। ଆଗାମୀ ୧୦ ବର୍ଷ ଭିତରେ ୧୫୦ଟି ମାଛ ଧରା ଜାହାଜ ଓ ଡିଏସଏଫଭିର ନିୟୋଜନ ସହ ୫୦୦ଟି ମାଛ ଧରା ଜାହାଜର ଆଧୁନିକୀକରଣ କରାଯାଉଛି। ଏହି ମିଶନର ସଫଳ କାର୍ଯ୍ୟାନ୍ୱୟନ ଓଡ଼ିଶାକୁ ଏକ ପ୍ରମୁଖ ସାମୁଦ୍ରିକ ମତ୍ସ୍ୟ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବ। ଏହାଦ୍ୱାରା ‘ନୀଳ ଅର୍ଥନୀତି’ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।

ଅଧିକ ପଢନ୍ତୁ