ଓରାଙ୍ଗଉଟାନ ଉଦ୍ଧାର ଘଟଣା: ଦୀଘାର ଏକ ହୋଟେଲରୁ ୩ ଜଣଙ୍କୁ ଉଠାଇ ଆଣିଲା STF

ଓଡ଼ିଶାରେ ୫ ଓରାଙ୍ଗଉଟାନ ଠାବ ଘଟଣାକୁ ନେଇ ବିଶ୍ଵବ୍ୟାପୀ ଚର୍ଚ୍ଚା ଲାଗି ରହିଛି। ଏହି ବିରଳ ପ୍ରଜାତିର ଜନ୍ତୁଙ୍କୁ କେଉଁମାନେ ଆଣିଥିଲେ ତାକୁ ନେଇ ରହସ୍ୟ ଲାଗି ରହିଛି। ଆଜି (ଶୁକ୍ରବାର) ପୋଲିସ ଡିଜି ବିନୟତୋଷ ମିଶ୍ର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (STF)କୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଧିବଦ୍ଧ ମାମଲା ରୁଜୁ କରି ଘଟଣାକୁ ଗୁରୁତ୍ୱର ସହ ତଦନ୍ତ କରିବାକୁ ଡିଜିପି କହିଛନ୍ତି।ତେବେ ପଶ୍ଚିମବଙ୍ଗ ଦୀଘାର ଏକ ଘରୋଇ ହୋଟେଲରୁ ୩ ଜଣଙ୍କୁ ଉଠାଇ ଆଣିଛି STF । ଏହି ଘଟଣାରେ ହୋଟେଲ ମାଲିକ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ତେବେ ୩ ଜଣଙ୍କୁ ଉଠାଇ ନେଇ ଅଧିକ ପଚାର ଉଚରା କରୁଛି ଏସ ଟି ଏଫ ଟିମ୍ ।ସିସିଟିଭି ଫୁଟେଜରେ ଦେଖାଯାଉଥିବା ଉକ୍ତ କଳାରଙ୍ଗର ଥର୍ ଗାଡ଼ି ହୋଟେଲ୍‌ ମାଲିକଙ୍କ ବୋଲି STF ଜାଣିବାକୁ ପାଇଛି। ଗତକାଲି ଓରାଙ୍ଗଉଟାନ୍ ଉଦ୍ଧାର ହୋଇଥିବା ସ୍ଥାନରୁ ମାସ୍କ ଉଦ୍ଧାର ହୋଇଥିଲା । ଏହି ମାସ୍କ କାହାର ସେନେଇ ମଧ୍ୟ ଖୋଳତାଡ଼ ହେଉଛି । ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ କ୍ୟାମ୍ପ କରାଯାଇଛି । ବନକର୍ମଚାରୀମାନେ ଦିନ ରାତି ଜଗି ରହିଛନ୍ତି ।ସେହିପରି ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲାଣ ପାଇଁ ଓଡ଼ିଶା କେବେ ହେଲେ ଏକ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ କରିଛନ୍ତି । ବିଦେଶୀ ବନ୍ୟପ୍ରାଣୀଙ୍କ ଏହି ବେଆଇନ ପରିବହନରେ କୌଣସି ନେଟୱାର୍କ ସମ୍ପୃକ୍ତ ଥିଲେ, ତାହାକୁ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ