
ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ଆଙ୍କୁଲାଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ସଂସ୍କୃତ ଦିବସ ଅତ୍ୟନ୍ତ ଉତ୍ସାହ ଓ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ମିନତୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଭାର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବହୁଭାଷା ବିଷାରଦ ତଥା ବରିଷ୍ଠ ଶିକ୍ଷକ ଗୋସ୍ବାମୀ ଦାସ ସଂସ୍କୃତ ଭାଷାର ମହତ୍ତ୍ୱ ଓ ଏହାର ସରଳତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ହୃଦୟଙ୍ଗମ କରାଇଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂସ୍କୃତ ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତାର ସିନିୟର ବିଭାଗରେ ଅଂଶୁମାନ ମହାନ୍ତି ଏବଂ ଜୁନିୟର ବିଭାଗରେ ଶୁଭମ ସ୍ୱରୂପ ମୁଦୁଲି ଯଥାକ୍ରମେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ଶେଷରେ ବିଦ୍ୟାଳୟର ଶିକ୍ଷକ ସଂଜୟ କୁମାର ବାରିକ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
