କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଡାକ୍ତର

କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର। ୩୦ ହଜାର ଟଙ୍କା ନେବାବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର ଅଭିଯୋଗ। ଏକ ଏନଜିଓ କର୍ମକର୍ତ୍ତାଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ଆସିଷ୍ଟାଣ୍ଟ ସର୍ଜନ ଡାକ୍ତର ସତ୍ୟଜିତ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଧରିଥିବା ସୂଚନା। କ୍ୟାପିଟାଲ ହସ୍ପିଟାଲର କାଜୁଆଲ୍ଟି ବିଭାଗରେ ଆସୁଥିବା ଅଜଣା, ନିରାଶ୍ରୟ ଏବଂ ଅସହାୟ ରୋଗୀମାନଙ୍କୁ ସହାୟତା ଯୋଗାଇବା ପାଇଁ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ନିୟୋଜିତ କରାଯାଇଥିଲା । ଏହି ଏନଜିଓ ଅଧୀନରେ କାମ କରୁଥିବା କର୍ମଚାରୀମାନଙ୍କର ଗତ ଦୁଇ ମାସର ଅର୍ଥାତ୍ ଜୁନ୍ ଏବଂ ଜୁଲାଇ ୨୦୨୬ ଦରମା ବିଲ୍ ଉଠାଇବା ପାଇଁ କାର୍ଯ୍ୟ ପ୍ରମାଣପତ୍ରରେ ଦସ୍ତଖତ କରିବା ଆବଶ୍ୟକ ଥିଲା, କିନ୍ତୁ ଡାକ୍ତର ସତ୍ୟଜିତ୍ ବେହେରା ଏହି ପ୍ରମାଣପତ୍ରରେ ଦସ୍ତଖତ କରିବା ପାଇଁ ଏନଜିଓ କର୍ମଚାରୀଙ୍କଠାରୁ ଗତ ଜୁନ୍ ମାସରୁ ବାରମ୍ବାର ପଇସା ମାଗି ହଇରାଣ କରୁଥିଲେ।ପରେ ସମ୍ପୃକ୍ତ ଏନଜିଓ କର୍ମକର୍ତ୍ତା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଜାଲ ବିଛାଯାଇଥିଲା। ଆଜି ଏନଜିଓ କର୍ମକର୍ତ୍ତାଙ୍କଠାରୁ ୩୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଡାକ୍ତର ସତ୍ୟଜିତ ବେହେରାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିବା କହିଛି।

ତାଙ୍କ ନିକଟରୁ ଲାଞ୍ଚ ବାବଦରେ ଦିଆଯାଇଥିବା ସମ୍ପୂର୍ଣ୍ଣ ୩୦ ହଜାର ଟଙ୍କା ଜବତ କରାଯାଇଛି।ଟ୍ରାପ୍ ପରେ ଆୟ ବହିର୍ଭୂତ ସମ୍ପତ୍ତି ଦିଗକୁ ମଧ୍ୟ ଭିଜିଲାନ୍ସ ତଦନ୍ତ ବଢ଼ାଇଛି। ଡାକ୍ତର ବେହେରାଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଓ ତଲାସି ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଅଧିକ ପଢନ୍ତୁ