ଟ୍ରକ୍ ପଛରେ ପିଟି ହେଲା କାର୍‌, ଚାଲିଗଲା ୪ ଜୀବନ! ମୃତକଙ୍କ ମଧ୍ୟରେ ମନ୍ତ୍ରୀଙ୍କ ଝିଅ

ଜାମସେଦପୁରରେ ଭୟାବହ ସଡ଼କ ଦୁର୍ଘଟଣା । ଟ୍ରକ୍ ପଛରେ ପିଟି ହେଲା କାର୍‌, ଚାଲିଗଲା ୪ ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ଝିଅ ତ୍ରିଷା ସିଂହ । ବୁଧବାର ବିଳମ୍ବିତ ରାତ୍ରରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ପୋଲିସର କହିବାନୁସାରେ, ଦୋମୁହାଣୀ ନିକଟରେ କାର୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଏହା ଏତେ ତୀବ୍ର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଗୁଣ୍ଡ ହୋଇଯାଇଛି । ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।

 ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । କାରରେ ୪ ଜଣ ଥିବା ବେଳେ ସମସ୍ତେ ପ୍ରାଣ ହରାଇଛନ୍ତି । ପୋଲିସ ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି ।ମୃତକମାନେ ହେଲେ ତ୍ରିଷା ସିଂହ, ସାର୍ଥକ ଅଗ୍ରୱାଲ, ନମନ ଗୁପ୍ତା ଏବଂ ବଂଶିକା ଖଣ୍ଡେଲୱାଲ । ପ୍ରାଥମିକ ତଦନ୍ତ ଅନୁଯାୟୀ, ଚାରି ଲେନ୍‌ର ରାସ୍ତାର ଡିଭାଇଡର ନିକଟରେ ଟ୍ରକ୍‌ଟି ଖରାପ ହୋଇ ଠିଆ ହୋଇଥିଲା । ଟ୍ରକ୍‌ ପଛରେ ରିଫ୍ଲେକ୍ଟର କିମ୍ବା ସତର୍କତା ସୂଚନା ନଥିବାରୁ କାର୍‌ ଚାଳକ ଟ୍ରକ୍‌କୁ ଠିକ୍‌ ସମୟରେ ଦେଖିପାରିନଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।ଏହି ଘଟଣାରେ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଶୋକ ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ