ମଧ୍ୟପ୍ରାଚ୍ୟ ଯୁଦ୍ଧର ସାଇଡ୍ ଇଫେକ୍ଟ। ତେଲ ପାଇଁ ଟାଙ୍କିରେ ଲାଗିଲା ଗ୍ରାହକଙ୍କ ଲମ୍ବା ଲାଇନ୍। ରାଜ୍ୟର ପ୍ରାୟ ଅନେକ ଜିଲ୍ଲାରେ ଏବେ ଦେଖାଦେଇଛି ତେଲ ସଙ୍କଟ l ଅନେକ ଟାଙ୍କିରେ ତେଲ ନଥିବା ବେଳେ ଯେଉଁଠି ତେଲ ରହିଛି ସେହି ଟାଙ୍କିରେ ଲୋକଙ୍କ ଭିଡ଼ l ଭୁବନେଶ୍ୱରରେ ବିଭିନ୍ନ ପେଟ୍ରୋଲ ପମ୍ପରେ ସାଂଘାତିକ ଭିଡ଼। ଏପରିକି ରାସ୍ତା ଯାଏଁ ଲମ୍ବିଛି ଲାଇନ୍। ଅବସ୍ଥା ଏମିତି ଯେ ଟ୍ରାଫିକ ଜାମ୍ ହୋଇଛି।ସମସ୍ତ ଟାଙ୍କିରେ ପେଟ୍ରୋଲ ଏବଂ ଡିଜେଲ ମହଜୁଦ ରହିଥିବା କହିଛନ୍ତି ଟାଙ୍କି କର୍ମଚାରୀ । ଅନ୍ୟପଟେ ଟାଙ୍କି ଗୁଡ଼ିକରେ ଏବେ ଅସାଧୁ ବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।ଲୋକେ ଗାଡ଼ିରେ ତେଲ ପକେଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବାବେଳେ ଏମାନେ ବଡ଼ ବଡ଼ ଟିଣ ଡବା ଧରି ମଧ୍ୟ ଧାଡ଼ିରେ ରହୁଛନ୍ତି । ଯାହାଫଳରେ କୁତ୍ରିମ ଅଭାବ ଦେଖିବାକୁ ମିଳୁଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଅଟୋ ଓ ବସ୍ ଚାଳକମାନେ। ଦିନକୁ ଦିନ ଯାତ୍ରୀ ପରିବହନ ଉପରେ ନିର୍ଭର କରୁଥିବା ଏହି ଚାଳକମାନଙ୍କ ରୋଜଗାର ପ୍ରାୟ ଠପ୍ ହୋଇଯାଇଛି। ଅନେକ ଅଟୋ ଷ୍ଟାଣ୍ଡରେ ଗାଡ଼ି ଖାଲି ଥିବା ଦେଖିବାକୁ ମିଳିଛି। ବସ୍ ସେବା ମଧ୍ୟ କେତେକ ରୁଟରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।ପେଟ୍ରୋଲ-ଡିଜେଲ ଅଭାବ ସ୍ଥିତିକୁ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଂଜୟ ଲାଠ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଡିଜେଲ ମହଜୁଦ୍ ଅଛି ବୋଲି କହିଛନ୍ତି। କିଛି ସ୍ଥାନରେ ଲୋକେ ଅଧିକ ମାତ୍ରାରେ ତେଲ କିଣିବା ଯୋଗୁ ତେଲ ଟାଙ୍କିରୁ ତେଲ ସରିଯାଇଛି । ଟିକେ ସମୟ ଦେଲେ ସେସବୁ ଟାଙ୍କିରେ ତେଲ ପହଞ୍ଚିଯିବ ବୋଲି ସେ କହିଛନ୍ତି। ତେବେ ମଧ୍ୟ ରାତିରୁ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ଓ ଡିଜେଲ ଲିଟର ପିଛା ୩ ଟଙ୍କା ବୃଦ୍ଧି ପାଇଛି ।ଗ୍ରାହକମାନଙ୍କୁ ଏହାର ବର୍ଦ୍ଧିତ ମୂଲ୍ୟର ବୋଝ ମଧ୍ୟ ବହନ କରିବାକୁ ପଡୁଛି। ଗତ କିଛି ଦିନ ଧରି ଯେପରି ଅନୁମାନ କରାଯାଉଥିଲା ତାହା ଅନୁଭୂବ ହୋଇଛି। ଶୁକ୍ରବାର ସକାଳ ୬ଟାରୁ ଦିଲ୍ଲୀ ସମେତ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି । ଗତ ଦୁଇଦିନ ଧରି ଏହି ଭିଡ଼ ଦେଖିବାକୁ ମିଳିଛି। ଖୋଦ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଭିଡ଼ ଦେଖିବାକୁ ମିଳିଛି। ମାତ୍ର ହାତ ଗଣତି କେତୋଟି ତେଲଟାଙ୍କିକୁ ଛାଡ଼ି ଦେଲେ ପ୍ରାୟତଃ ଟାଙ୍କିରେ ଗତକାଲିଠାରୁ ଭିଡ଼ ଜମିଥିବା ପରିଲକ୍ଷିତ ହୋଇଛି।
