ଆଜି ଅକ୍ଟୋବର ୨ ତାରିଖ, ଦେଶ ପାଳୁଛି ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ । ଅହିଂସା ଓ ସରଳତାର ବାର୍ତ୍ତାକୁ ମନେ ପକାଉଛନ୍ତି ଦେଶବାସୀ । ସତ୍ୟ, ଅହିଂସା ଓ ଶାନ୍ତିର ବାର୍ତ୍ତା ଦେଇଥିବା ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଆଜି ପୁଣି ମନେ ପକାଉଛି ସାରା ଦେଶ ।୧୮୬୯ ମସିହା ଅକ୍ଟୋବର ୨ରେ ଗୁଜରାଟର ପୋରବନ୍ଦରରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମ ହୋଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମକୁ ସେ ସତ୍ୟାଗ୍ରହ ଓ ଅହିଂସାର ଏକ ନୂଆ ଦିଗ ଦେଇଥିଲେ । ଅସହଯୋଗ ଆନ୍ଦୋଳନ, ଦାଣ୍ଡି ଯାତ୍ରା ଓ ଭାରତ ଛାଡ଼ ଆନ୍ଦୋଳନ ଭଳି ଐତିହାସିକ ଆନ୍ଦୋଳନ ସହ ତାଙ୍କ ନେତୃତ୍ୱ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଗାନ୍ଧୀଙ୍କ ପାଇଁ ସ୍ୱାଧୀନତା କେବଳ ବ୍ରିଟିଶ ଶାସନରୁ ମୁକ୍ତି ନଥିଲା। ସ୍ୱଚ୍ଛତା, ସ୍ୱାବଲମ୍ବନ, ଗ୍ରାମ ସ୍ୱରାଜ, ସାମାଜିକ ସମାନତା ଓ ସାମ୍ପ୍ରଦାୟିକ ସଦ୍ ଭାବକୁ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ ।ସେହିପରି ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଉତ୍ତରପ୍ରଦେଶର ମୁଗଲସରାୟରେ ଜନ୍ମଗ୍ରହଣ କରିଥିଲେ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ନିଜର ଅସାଧାରଣ ବିନମ୍ରତା, ସରଳତା ଏବଂ ଦୃଢ଼ ନେତୃତ୍ୱ ପାଇଁ ସେ ସଦା ସ୍ମରଣୀୟ । ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଦେଶବାସୀଙ୍କୁ ଏକାଠି କରିବା ପାଇଁ ସେ ‘ଜୟ ଯବାନ, ଜୟ କିଷାନ’ର ନାରା ଲଗାଇଥିଲେ। ଜନ୍ମଜୟନ୍ତ୍ରୀ ଅବସରରେ ଉଭୟ ମହାପୁରୁଷଙ୍କୁ ମନେ ପକାଉଛି ଦେଶ।
