ରାୟଗଡା ତା ୦୩/୦୭ (ନିପ୍ର) ଧର୍ମ ପରିବର୍ତ୍ତନ କରିଥିବାରୁ ଜଣେ ଆଦିବାସୀ ବୃଦ୍ଧଙ୍କୁ ଶ୍ମଶାନ ମିଳୁନଥିବା ଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମ ରେ । ଗାଜିଗାଁ ଗ୍ରାମର ଆଦିବାସୀ ସଂପ୍ରଦାୟର ଜାକାକା ଦାମ (୬୫ ବର୍ଷ )୪/୫ ବର୍ଷ ତଳେ ଖ୍ରିଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ । କିଛି ମାସ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ।ଗତକାଲି ସକାଳେ ପ୍ରାୟ ୮ଟା ସମୟରେ ସେ ମୃତ୍ୟୁବରଣ କରିଥିଲେ । ଖ୍ରିଷ୍ଟ ଧର୍ମ ଅନୁଯାୟୀ ଦାମଙ୍କୁ ଆଜି ସ୍ଥାନୀୟ ଶ୍ମଶାନରେ କବର ଦେବା ପାଇଁ ଯୋଜନା କରୁଥିବା ବେଳେ ଗ୍ରାମବାସୀ ମାନେ ଏହାକୁ ବିରୋଧ କରିଥିଲେ । ଏହି ଶ୍ମଶାନ କେବଳ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏବଂ ପୋଡା ଯାଉଥିବାରୁ ଦାମଙ୍କ ମୃତ ଦେହକୁ କବର ଦେବା ପାଇଁ ଗ୍ରାମବାସୀ ମାନେ ବାରଣ କରିଥିଲେ । ଗ୍ରାମବାସୀ ମାନେ ବିରୋଧ କରୁଥିବାରୁ ବର୍ତ୍ତମାନ ସୁଦ୍ଧା ଶବ ର ଶେଷକୃତ୍ୟ ହୋଇପାରିନଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟଯେ ଗ୍ରାମରେ ୪/୫ ଆଦିବାସୀ ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି । ମୃତ ଦାମଙ୍କ ୩ପୁଅ ଏବଂ ଅନ୍ୟ ସଂପର୍କିୟ ମାନେ ରହିଥିବା ବେଳେ ଏନେଇ କୌଣସି ଅଭିଯୋଗ କାହାରିକୁ କରାଯାଇନାହିଁ । ସ୍ଥନୀୟ ପରମ୍ପରା ଅନୁଯାୟି ଗ୍ରାମରେ କେହି ମୃତ୍ୟୁବରଣ କରିଲେ ରୋଷେଇ ହୁଏ ନାହିଁ । ଗୋଟିଏ ପଟେ ଗ୍ରାମରେ ରୋଷେଇ ବନ୍ଦ ରହିଛି ଏବଂ ଅନ୍ୟପଟେ ପ୍ରାୟ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଶେଷକୃତ୍ୟ ପାଇଁ ଶ୍ମଶାନ ମିଳିନପାରିବା ଭଳି ଅଭାବନିୟ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ଦିନ ସାରା ଶେଷକୃତ୍ୟ ପାଇଁ ଗ୍ରାମରେ ବୈଠକ ହୋଇଥିବା ବେଳେ କୌଣସି ସମାଧାନର ରାସ୍ତା ନ ବାହାରିବା ପରେ ଦୀର୍ଘ ୨୬ ଘଣ୍ଟା ଶବା ରଖିବା ପରେ ନିଜ ପୈତୃକ ଜମିରେ କବର ଦେଇଥିଲେ।
