କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର । ଘର ପଛପାଖ ନଈରେ ବାସନ ଧୋଇବା ବେଳେ ଭିଡ଼ିନେଲା କୁମ୍ଭୀର। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ସ୍ଥାନୀୟ ଜଙ୍ଗଲଘେରି ଗାଁରେ। ବୁଧବାର ଅପରାହ୍ନରେ ଛବି ପାତ୍ର (୫୫) ନାମକ ଜଣେ ଆଦିବାସୀ ମହିଳା ନିକଟ ରାମଚଣ୍ଡୀ ଗଳିଆ ନଦୀରେ ବାସନକୁସନ ଧୋଉଥିବା ବେଳେ ବଣବୁଦା ଉହାଡ଼ରେ ଛକି ରହିଥିଲା ଏକ ବଉଳା କୁମ୍ଭୀର। ଏହି ସମୟରେ କୁମ୍ଭୀରଟି ଛବିଙ୍କୁ ଟାଣି ନେଇଥିଲା।ଛବିଙ୍କ ଚିତ୍କାର ଶୁଣି ପରିବାର ଲୋକ ଘଟଣାସ୍ଥଳକୁ ଦୌଡ଼ିଥିଲେ। ପରେ ସେଠାରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ତେବେ ଯୋଗାଯୋଗ ଅଭାବରୁ ପ୍ରାୟ ଦେଢ଼ କିଲୋମିଟର ତାଙ୍କୁ ଦୋଳା ଭାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ । ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ୍ ନିଆଯାଇଥିଲା ।
