ନନ୍ଦନକାନନରେ ନୂଆ ଅତିଥି । ପ୍ରଥମ ଥର ପାଇଁ ମା ହେଲା ସିଂହୀ ଶ୍ରେୟା । ଗୋଟିଏ ଶାବକକୁ ଜନ୍ମ ଦେଇଛି ଶ୍ରେୟା । ଶାବକକୁ ନନ୍ଦନକାନନର ଶିଶୁ ଲାଳନପାଳନ କେନ୍ଦ୍ରରେ ରଖାଯାଇଛି । ତେବେ ସିଂହୀ ଛୁଆରୁ ଗ୍ରହଣ କରିନାହିଁ । ପ୍ରଥମ ଥର ପାଇଁ ମାଆ ହୋଇଥିବାରୁ ତା ନିକଟରେ ମାତୃ ସୁଲଭ ଆଚରଣ ଦେଖିବାକୁ ମିଳିନି । ଶ୍ରୀୟା’କୁ ଏବେ ଦୁଇ ବର୍ଷ ଦେଢ଼ ମାସ ବୟସ । ୨୦୨୪ ଅଗଷ୍ଟ ୮ ତାରିଖରେ ସିଂହୀ ବିଜଲି ଓ ସିଂହ ସମ୍ରାଟ ଔରସରୁ ୩ଟି ଶାବକ ଧ୍ରୁବ, ହର୍ଷ ଓ ଶ୍ରୀୟା ଜନ୍ମ ହୋଇଥିଲେ । ବିଜଲୀ ଶାବକମାନଙ୍କୁ ଗ୍ରହଣ ନକରିବାରୁ କର୍ତ୍ତୃପକ୍ଷ ଶିଶୁ ଲାଳନପାଳନ କେନ୍ଦ୍ରରେ ରଖି ବଡ଼ କରିଥିଲେ । ପ୍ରାୟ ଏକ ବର୍ଷର ହେବା ପରେ ସେମାନଙ୍କୁ ପ୍ରାଣୀ ଚିକିତ୍ସାଳୟ ପଛ ପାର୍ଶ୍ବ ଖୁଆଡ଼ରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ‘ଧ୍ରୁବ’କୁ ଅଲଗା କରାଯାଇ ଗୋଟିଏ ଖୁଆଡ଼ରେ ‘ହର୍ଷ’ ଓ ‘ଶ୍ରୀୟା’କୁ ରଖାଯାଇଥିଲା । ତେବେ କର୍ତ୍ତୃପକ୍ଷଙ୍କ ଅଜାଣତରେ ସେମାନଙ୍କ ମିଳନ ହୋଇଥିବା ଜଣେ କର୍ମଚାରୀ କହିଛନ୍ତି । ବର୍ତ୍ତମାନ ନନ୍ଦନକାନରରେ ସିଂହ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଶାବକର ଖାଦ୍ୟ ଓ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି ।
