ରଜରେ ରେକର୍ଡ ପର୍ଯ୍ୟଟକ ବୁଲିଲେ ନନ୍ଦନକାନନ । ପହିଲି ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୨୯ ହଜାର ୩୮୦ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ଯାହା ନନ୍ଦନକାନନର ପୁରୁଣା ପର୍ଯ୍ୟଟକଙ୍କ ରେକର୍ଡ ଭାଙ୍ଗିଛି ।ସେଥିରେ ପ୍ରାଣୀ ଉଦ୍ୟାନରେ ୨୭ ହଜାର ୧୯୨ ଜଣ ଓ ଉଦ୍ଭିଦ ଉଦ୍ୟାନରେ ୨ ହଜାର ୧୮୮ ପର୍ଯ୍ୟଟକ ବୁଲିଥିଲେ । ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ବିଶେଷ କରି ବହୁ ସଂଖ୍ୟାରେ ଛୋଟ ପିଲା ବୁଲିବାକୁ ଆସିଥିଲେ ।ପହିଲି ରଜରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦେଇଛନ୍ତି । ୧୦୪ ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଓଆଇଏସ୍ଏଫ୍ ସହ ପୂର୍ବତନ ସେନା ଯବାନଙ୍କୁ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସହାୟତା ପାଇଁ ମୁତୟନ କରାଯାଇଛି ।ସୂଚନାଯୋଗ୍ୟ, ସପ୍ତାହର ପ୍ରତ୍ୟେକ ସୋମବାର ନନ୍ଦନକାନନ ଛୁଟି ରହିଥାଏ । ଯଦି ସୋମବାର ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ, ବଡ଼ଦିନ, ନୂଆବର୍ଷ, ଦଶହରା କିମ୍ବା ରଜ ପଡ଼େ ତେବେ ସେଦିନ ନନ୍ଦନକାନନ ଖୋଲା ରହି ପରଦିନ ଅର୍ଥାତ୍ ମଙ୍ଗଳବାର ବନ୍ଦ ରହିବା ନିୟମ ରହିଛି ।
