ନିର୍ମାଣାଧୀନ ଚର୍ଚ୍ଚରେ ବଡ଼ ଦୁର୍ଘଟଣା: ଛାତ ଭୁଶୁଡ଼ି ୩ ଶ୍ରମିକ ମୃତ, ୧୧ ଆହତ

ନିର୍ମାଣାଧୀନ ଚର୍ଚ୍ଚର ଛାତ ଭୁଶୁଡ଼ି ପଡ଼ିବାରୁ ବଡ଼ ଅଘଟଣ ଘଟିଛି। ମାଟି ତଳେ ଚାପି ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ତାମିଲନାଡୁର ଭେଲ୍ଲୋର ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା।ସୂଚନାନୁଯାୟୀ, କଟପାଡି ନିକଟସ୍ଥ ମଣ୍ଡି କୃଷ୍ଣପୁରମରେ ନିର୍ମାଣାଧୀନ ଚର୍ଚ୍ଚ ଅଫ୍ ସାଉଥ୍ ଇଣ୍ଡିଆ କୋଠାର ଛାତ ସ୍ଲାବ୍ ଭୁଶୁଡ଼ି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଶ୍ରମିକମାନେ ଛାତ ପାଇଁ କଂକ୍ରିଟ୍ ଢାଳୁଥିଲେ ଯେତେବେଳେ ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା । ଯାହା ଫଳରେ ଲୋକମାନେ ଭଗ୍ନାବଶେଷ ତଳେ ଫସି ଯାଇଥିଲେ । ସୂଚନା ପାଇବା ପରେ NDRF ଟିମ୍, ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହିତ ମିଶି ନିର୍ମାଣସ୍ଥଳରେ ପହଞ୍ଚି ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଓ ୧୧ ଜଣ ଆହତ ହୋଇଛନ୍ତି । ଆହତ ୧୧ ଜଣ ଶ୍ରମିକଙ୍କୁ ଆମ୍ବୁଲାନ୍ସରେ ଭେଲୋର ସରକାରୀ ମେଡିକାଲ କଲେଜ ହସ୍ପିଟାଲ, ଖ୍ରୀଷ୍ଟିଆନ ମେଡିକାଲ କଲେଜ ହସ୍ପିଟାଲ ଏବଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଚିତ୍ତୁରର ଏକ ହସ୍ପିଟାଲକୁ ନିଆଯାଇଥିଲା ।ପୁଲିସର ସୂଚନା ଅନୁସାରେ, ପ୍ରାୟ ୨୦ ଫୁଟ୍ ଉଚ୍ଚ ଷ୍ଟିଲ୍ ଓ ସପୋର୍ଟ ଫ୍ରେମୱର୍କ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ଅନେକ ଶ୍ରମିକ ଚାପି ହୋଇଯାଇଥିଲେ।ଏହି ଦୁର୍ଘଟଣା ପଛରେ କାରଣ କ’ଣ, ତାହା ନେଇ ଏବେ ତଦନ୍ତ ଆରମ୍ଭ ହେବ। ଚର୍ଚ୍ଚ ନିର୍ମାଣ ପାଇଁ ବିଲ୍ଡର ଆବଶ୍ୟକ ସମସ୍ତ ଅନୁମତି ଓ ବିଲ୍ଡିଂ ପରମିଟ୍ ନେଇଥିଲେ କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯିବ।

ଅଧିକ ପଢନ୍ତୁ